ବାଲିଅନ୍ତା :ବାଲିଅନ୍ତା ଥାନା ଅନ୍ତର୍ଗତ ବେଣ୍ଟପୁର ଦିୱାନପାଟଣା ରାସ୍ତାରେ ଆଜି ଅପରାହ୍ନ ୨ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସଂପର୍କରେ ସଂପୃକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ଅଭିଯୋଗକାରୀଙ୍କ ଥାନାକୁ ନେଇ ପଚରାଉଚରା କରିଥିଲା । ଲୁଟ ଘଟଣାକୁ ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କୁ ଟେର ପାଇପାରି ନାହିଁ । ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଛ ଜାରି ରଖିଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଘରୋଇ ଅର୍ଥ ଲଗାଣ ସଂସ୍ଥାର ଦୁଇଜଣ କର୍ମଚାରୀ ବାଇକରେ ଅପରାହ୍ନରେ ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତକୁ ଋଣଟଙ୍କା ସଂଗ୍ରହ ପାଇଁ ଆସିଥିଲେ । ବେଣ୍ଟପୁର ବଢ଼େଇ ସାହି , ଖରିପଡ଼ିଆ ଓ ଦିୱାନପାଟଣା ଓ ଭିଙ୍ଗାରପୁର ପଞ୍ଚାୟତର ସିଙ୍ଗଡ଼ା ଭୋଇସାହିର ମହିଳାମଣ୍ଡଳଙ୍କ ନିକଟରୁ ଋଣଅର୍ଥ ସଂଗ୍ରହ କରି ଉକ୍ତ ପଞ୍ଚାୟତ ଅଧୀନ ଗୁଆବାଡ଼ି ସାହି ଅଭିମୁଖେ ଯାଉଥିଲେ । ଦୁବୁର୍ତ୍ତ ଦ୍ବୟ ସେମାନଙ୍କୁ ପିଛା କରି ବେଣ୍ଟପୁର ଦିୱାନପାଟଣା ଗ୍ରାମ ରାସ୍ତାର ଗାଦିଗୋସେଇଁ ଠାକୁରଙ୍କ ନିକଟରେ ଅଟକାଇଥିଲେ । ଏହାପରେ ସେମାନେ ତାଙ୍କ ମୁଣ୍ଡରେ ରିଭଲଭର ଲଗାଇ ଟଙ୍କା ବ୍ୟାଗ ଛଡ଼ାଇ ନେଇ ଡେଲଟାବଜାର ରାସ୍ତାରେ ଫେରାର ହୋଇଯାଇଥିଲେ । ଲୁଟର ଶିକାର ହୋଇଥିବା ସ୍ମୃତିରଂଜନ ଜେନା ଓ ଶରତ ବରାଡ଼ ଆଜି ସଂଧ୍ୟାରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।