ଲୁଟ ନାଟକ କରି ଲୁଟିଥିଲେ ୧୫ଲକ୍ଷ ଟଙ୍କାର କୁସନ୍, ୨ ଗିରଫ

ଖୋର୍ଦ୍ଧା: କଟକରୁ ବ୍ରହ୍ମପୁରକୁ କୁସନ୍ ଗଦି ନେଇ ଯାଉଥିଲେ । କିନ୍ତୁ ଲୋଭବଶତଃ ଏହାକୁ ହଡ଼ପ କରିବାକୁ ଯୋଜନା କଲେ । ଯୋଜନା ଅନୁସାରେ ଲୁଟ ହୋଇଥିବା ଭଳି ଏକ ମିଛି ମିଛିକା ନାଟକ କଲେ । କିନ୍ତୁ ଶେଷରେ ପୁଲିସ ହାତରେ ନାଟକର ପର୍ଦ୍ଦାଫାଶ୍ ହେବା ସହ ଏଥିରେ ସମ୍ପୃକ୍ତ ଗାଡ଼ିଚାଳକ ଓ ସହଯୋଗୀ ଦୁଇଜଣ ଗିରଫ ହୋଇଛନ୍ତି ।

ସୂଚନାନୁସାରେ, ୧୨ ତାରିଖ ସକାଳୁ ଉତ୍ତରପ୍ରଦେଶ ମୁରାଦାବାଦରୁ କୁସନ ଗଦି କଟକ ଗୋପାଳପୁରରେ ଆସି ପହଞ୍ଚିଥିଲା । ସେଠାରୁ ଏହି ଗଦି ନେଇ ଗାଡ଼ି ଚାଳକ ମାନସ ଜେନା ଗାଡ଼ି ନେଇ (ୟୁପି ୨୧ ଏଏନ୍ ୮୯୬୪) ବ୍ରହ୍ମପୁର ଅଭିମୁଖେ ବାହାରିଥିଲା । ଗାଡ଼ିରେ ପ୍ରାୟ ୧୫ଲକ୍ଷ ଟଙ୍କାର କୁସନ ରହିଥିଲା । ୧୨ ତାରିଖ ସକାଳ ୭.୨୩ରେ ଗୋଡ଼ିପଡ଼ା ଟୋଲ୍ପ୍ଲାଜା ଅତିକ୍ରମ କରିଥିବା ବେଳେ ୧୩ ତାରିଖ ସକାଳ ୮.୧୮ରେ ଗୁରୁପାଲି ଟୋଲଗେଟ୍ ଅତିକ୍ରମ କରିଥିଲା । କିନ୍ତୁ ଏହାପରେ ଟ୍ରକ୍ଟି ବ୍ରହ୍ମପୁରର ବ୍ୟବସାୟୀଙ୍କ ନିକଟକୁ ପହଂଚିନଥିଲା । ତେବେ ଟ୍ରକ୍ଟି ଲୁଟ ହୋଇଯାଇଥିବା ନେଇ ମାନସ ତା’ର ମାଲିକକୁ ଜଣାଇଥିଲା । ଏନେଇ କଟକର ବ୍ୟବସାୟୀ ଖୋର୍ଦ୍ଧା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରିଥିଲେ । ମାମଲା ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତରେ ଜଣାପଡ଼ିଥିଲା ଯେ ଗାଡ଼ି ଚାଳକ ମାନସ ନିଜେ ଏହି ଲୁଟ କରିଛି । ଏହାପରେ ମାନସକୁ ନୟାଗଡ଼ ଜି୍ଲା ଇଟମଟି ଥାନା ଅନ୍ତର୍ଗତ ବାଉଁସିଆପଡ଼ାରୁ ଗିରଫ କରିଥିଲା । ପଚରାଉଚୁରା କରିବା ପରେ ସେ ଏହି କୁସନ ଗଦିଗୁଡ଼ିକୁ ସା’ର ସହଯୋଗୀ ଚନ୍ଦ୍ରକାନ୍ତ ମହାନ୍ତି ଦ୍ୱାରା କିଛି ବାଲୁଗାଁ ଓ କିଛି ନୟାଗଡ଼ରେ ଲୁଚାଇ ରଖିଥିବା ସ୍ୱୀକାର କରିଥିଲା । ତଥ୍ୟ ଆଧାରରେ ପୁଲିସ ଲୁଟ ହୋଇଥିବା କୁସନଗୁଡ଼ିକୁ ଉଦ୍ଧାର କରିଛି । ଏନେଇ ୧୦୭/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମାଶଙ୍କର ସିଂହ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର