ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବିଭିନ୍ନ ସ୍ଥାନରେ ବିଶେଷତଃ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ପଥର ଖନନ ଓ ଚାଲାଣ ବୃଦ୍ଧି ପାଉଛି। ଏନେଇ ସମ୍ବାଦରେ କ୍ରମାଗତ ଖବର ପ୍ରକାଶିତ ହେବା ପରେ ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା ସତ୍ୱେ ଖଣି ଚୋରି ରୋକାଯାଇ ପାରୁନଥିବାରୁ ଶେଷରେ ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହାୟତା ଲୋଡ଼ିଛି ବନ ସୁରକ୍ଷା କମିଟି ଢାଂଚାରେ ଖଣି ଚୋରି ରୋକିବାକୁ ସ୍ଥାନୀୟ ଅଂଚଳରେ ଖଣି ସୁରକ୍ଷା କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆଜି ତାପଙ୍ଗ ଠାରେ ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ ରୋକିବାରେ ସ୍ଥାନୀୟ ଲୋକଙ୍କ ସହାୟତା ଲୋଡ଼ାଯାଇଥିଲା।ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା କରିବାରେ ଗାଁ ଲୋକ କିଭଳି ଯୋଗଦାନ କରିପାରିବେ ସେନେଇ ସଚେତନତ କରାଯାଇଥିଲା। ଏଥିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେଉରିଆ, ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ ଓ ଶ୍ରୀମନ୍ଦିର ପ୍ରଶାସନର ଡେପୁଟି ପ୍ରଶାସକ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ ଶ୍ରୀବେଉରିଆ କହିଛନ୍ତି ଯେ, ବୈଠକରେ ବେଆଇନ ଖଣି ଖନନ ରୋକିବା ପାଇଁ ଆଲୋଚନା ହୋଇଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କ ଜମି ଶ୍ରୀଜଗନ୍ନାଥଙ୍କ ମାର୍ଫତରେ ଥିବାରୁ ସୋଲଭେନ୍ସି ପ୍ରମାଣପତ୍ର ଆଦି ପାଇପାରୁନଥିବା ଆଦି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ଖଣି ସୁରକ୍ଷା କମିଟି ନେଇ ମଧ୍ୟ ଆଲୋଚନା ହୋଇଥିଲା। ଗାଁ ଲୋକ ସେମାନଙ୍କ ମଧ୍ୟରେ ଆଲୋଚନା କରି କମିଟିର ରୂପରେଖ କିଭଳି ହେବ ସେନେଇ ନିଷ୍ପତ୍ତି ନେଇ ପ୍ରଶାସନକୁ ଜଣାଇବା ପରେ କମିଟି ଗଠନ କରିବାକୁ ସହମତି ପ୍ରକାଶ ପାଇଥିଲା।