ବାଣପୁରରେ ମାତିଲେ ଲୁଟେରା

 ବାଇକ୍ ଡିକି ଭାଙ୍ଗି ନେଇଗଲେ ଅଳଙ୍କାର ବନ୍ଧୁକ ଦେଖାଇ ଗ୍ୟାସ୍‌ ଏଜେନ୍ସି ମାଲିକଙ୍କୁ ଲୁଟ୍‌ ଉଦ୍ୟମ

ବାଣପୁର: କିଛି ଦିନର ନିରବତା ପରେ ବାଣପୁର ବଜାରରେ ପୁଣି ଲୁଟେରାଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଆଜି ଦିନ ଦ୍ବିପ୍ରହରରେ ଲୁଟେରାମାନେ ବାଇକ୍ ଡିକି ଭାଙ୍ଗି ୬୦ ହଜାର ଟଙ୍କାର ଅଳଙ୍କାର ଲୁଟି ନେଇଥିବା ବେଳେ ଅପରାହ୍ନରେ କୋର୍ଟ ନିକଟରେ ବନ୍ଧୁକ ଦେଖାଇ ତିନିଜଣ ଦୁର୍ବୃତ୍ତ ଜଣେ ଗ୍ୟାସ ଏଜେନ୍ସି ମାଲିକଙ୍କଠାରୁ ଲୁଟ୍‌ ଉଦ୍ୟମ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ କୌଣସି ଟେର୍‌ ପାଇନାହିଁ। ଗୋଟିଏ ଦିନରେ ଏବଂ ୨ ଘଣ୍ଟା ବ୍ୟବଧାନରେ ବାଣପୁର ବଜାରରୁ ଦୁଇଟି ଲୁଟ୍‌ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ବୁଧବାର ଅପରାହ୍ନ ପ୍ରାୟ ୨ଟା। ବାଣପୁର ଥାନା ଗମେଇଁ ଗ୍ରାମର ବୁଲାରାମ ଜେନା ବାଣପୁର ବଜାରରୁ ସୁନା ଅଳଙ୍କାର କିଣି ବାଇକ୍ ଯୋଗେ ନିଜ ଗାଁ’କୁ ଫେରୁଥିଲେ। ବାଟରେ ପରିବା କିଣିବା ପାଇଁ ପଲଟଣ ପଡିଆ ନିକଟ ରାସ୍ତା ପାର୍ଶ୍ବରେ ବାଇକ୍ ରଖିଥିଲେ ବୁଲାରାମ। ଏହି ସମୟରେ ତାଙ୍କର ଅନ୍ୟମନସ୍କତାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୬୦ ହଜାର ଟଙ୍କାର ଏକ ସୁନାଚେନ୍, ରୂପା ପାଉଁଜି ସମେତ ବ୍ୟାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଲୁଟି ନେଇଥିଲା। ପରିବା କିଣି ବୁଲାରାମ ବାଇକ୍ ନିକଟକୁ ଫେରିବା ବେଳେ ଲୁଟ୍‌ ହୋଇଥିବା ଜାଣି ମୁଣ୍ଡରେ ହାତ ଦେଇଥିଲେ। ସେହିପରି ଅପରାହ୍ନ ୫ଟାରେ ମାଟିଆପୋଖରୀ ରୋଡରେ ଥିବା ଏକ ଗ୍ୟାସ ଏଜେନ୍ସିର ମାଲିକ ନନ୍ଦ କିଶୋର ମିଶ୍ର ଏଜେନ୍ସିରେ ନିଜ କାମ ସାରି ଆକ୍ଟିଭା ଯୋଗେ ଘରକୁ ଫେରୁଥିବା ବେଳେ କୋର୍ଟ ନିକଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡିକୁ ଅଟକାଇ ଥିଲେ। ଶ୍ରୀ ମିଶ୍ର ଗାଡି ରଖିବା ମାତ୍ରେ ଜଣେ ଦୁର୍ବୃତ୍ତ ତାଙ୍କ ମୁହଁ ଉପରକୁ ଲଙ୍କାଗୁଣ୍ଡ ଫୋପାଡି ଥିଲା। ଶ୍ରୀ ମିଶ୍ରଙ୍କ ଆଖିରେ ପ୍ରବଳ ଜ୍ବଳନ ହେଉଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କ ପାଖରୁ ଏକ ବ୍ୟାଗ ଓ ଆକ୍ଟିଭାକୁ ଛଡ଼ାଇବାକୁ ଉଦ୍ୟମ କରିଥିଲା। ତେବେ ଶ୍ରୀ ମିଶ୍ରଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକ ଜମା ହୋଇଯିବାରୁ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ସେଠାରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣା ପରେ ବାଣପୁର ପୁଲିସ ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖି ତନାଘନା କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କୌଣସି ସୁରାକ୍ ପାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର