ଜଟଣୀ : ମା’ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ନବରାତ୍ର ପୂଜା। ଆଜି ପ୍ରଥମ ଦିନରୁ ମା’ଙ୍କ ମନୋହର ବେଶ ସହ ପୂଜା ପାଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କୁଦିଆରୀ ଗ୍ରାମର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଏହି ବିଶେଷ ପୂଜାରେ ସକାଳୁ ଶାଲା ମଣ୍ଡନ, ଜଳଯାତ୍ରା ଓ ସୂର୍ଯ୍ୟପୂଜା ପରେ ସନ୍ଧ୍ୟାରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ କରାଯାଇଥିଲା। ସବୁଠୁ ଆକର୍ଷଣୀୟ ସାଜିଥିଲା ମା’ଙ୍କ ଶୈଳପୁତ୍ରୀ ବେଶ। ଏହି ବେଶରେ ମା’ଙ୍କୁ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ହୋମ ସହ ସନ୍ଧ୍ୟାରେ ମା’ଙ୍କ ମନୋରମ ବେଶ ଦେଖିବାକୁ ମିଳିବ। ଏଥିସହ ଚଣ୍ଡୀପାଠ ଯଜ୍ଞ ମଧ୍ୟ କରାଯିବ। ଆସନ୍ତାକାଲି ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା ସମିତିର ସମ୍ପାଦକ ଏଲ୍ଡି ମହାନ୍ତି ଏବଂ ମୁଖ୍ୟ ପୂଜକ ମନୋରଂଜନ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଦାସ, ଚନ୍ଦ୍ରଶେଖର ପଣ୍ଡା, ବାଉରୀବନ୍ଧୁ ସାହାଣୀ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଚିତ୍ତରଂଜନ ବଳିୟାରସିଂ, ସତୀଶ ପରିଡ଼ା, କୃତ୍ତିବାସ ପୃଷ୍ଟି, ଭାଗୀରଥି ପ୍ରଧାନ ଏବଂ ବିଜୟ କୁମାର ପଣ୍ଡା ପ୍ରମୁଖ ଏହି ପାର୍ବଣକୁ ପରିଚାଳନା କରିଥିଲେ।