ମଲାଗୁଣୀ ନଦୀ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ 

ନିରାକାରପୁର:ଗତ ୩/୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ନିରାକାରପୁର ଓ ଆଖାପାଖ ୫ଟି ପଞ୍ଚାୟତରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ମଲାଗୁଣୀ ନଦୀରେ ବନ୍ୟା ସୃଷ୍ଟି ହୋଇ ଧୋୟା ଅଞ୍ଚଳର ଅନେକ ଘର ଭାଙ୍ଗିରୁଜି ଯାଇଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଧାନ, ବିରି ସମେତ ବାଇଗଣ, ଭେଣ୍ଡି, କଖାରୁ ଆଦି ପନିପରିବା ଫସଲ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ନିରାକାରପୁର,ଲେଣ୍ଡୋ, ଗୋଳବାଇ, ରାମେଶ୍ୱର, ଓରବରସିଂହ, ବ୍ରଜମୋହନପୁର ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ମାଡ଼ି ଯାଇଥିବା ବନ୍ୟାଜଳ ଏବେ ଧୀରେ ଧୀରେ ଛାଡ଼ୁଛି। ତେବେ ଅନେକ କ୍ଷେତ ବର୍ତମାନ ସୁଦ୍ଧା ପାଣିରେ ବୁଡ଼ି ରହିଥିବା ଜଣାଯାଇଛି। କେତେକ କ୍ଷେତରେ ଧାନ ଏବେ ସଂପୂର୍ଣ୍ଣ ପଟୁମାଟିରେ ମିଶି ଯାଇଥିବା ଯୋଗୁଁ ଚାଷ ମୁଣ୍ଡରେ ହାତ ଦେଇ ବସିଛି। ଏପରି ସ୍ଥିତିରେ ସାହୁକାର ଓ ବିଭିନ୍ନ ସଂସ୍ଥାରୁ ଆଣିଥିବା ଋଣ ଟଙ୍କା କିପରି ପରିଶୋଧ କରିବେ ବୋଲି ଚାଷୀ ଗୋବିନ୍ଦ ପାତ୍ର, କୈଳାସ ସାହୁ, ରଙ୍କ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଦୁଃଖର ସହ ଜଣାଇଛନ୍ତି। କେନାଲର ଅବ୍ୟବସ୍ଥା ଯୋଗୁଁ ଜଳ ନିଷ୍କାସନ ହୋଇନପାରି ଏଭଳି ଦୁର୍ଦଶା ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଧୋୟାଞ୍ଚଳର ମୁଖ୍ୟ ଅର୍ଥକାରୀ ଫସଲ ବିରି ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅବିଳମ୍ବେ ସ୍ୱଳ୍ପ ସୁଧରେ କୃଷି ଋଣ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର