ଖୋର୍ଧା : ପାରିବାରିକ କଳହକୁ କେନ୍ଦ୍ର କରି ଆଜି ଜଣେ ବଡ଼ ଭାଇର ଗୁଳିମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି। ଖୋର୍ଧା ଉପକଣ୍ଠ ତୋଟାପଡ଼ା ଛକ ନିକଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଥିଲା। ମୃତକଜଣଙ୍କ ହେଲେ, ସଦର ଥାନା ଅଧୀନ କାଇପଦର ପଞ୍ଚାୟତ ଅନ୍ତର୍ଗତ ଦେଉଳଟାଙ୍ଗୀ ଗ୍ରାମର ସ୍ୱର୍ଗତ ସେକ୍‌ ସନାଉଲାଙ୍କ ତୃତୀୟ ପତ୍ନୀଙ୍କ ସାନ ପୁଅ ମହମ୍ମଦ ସାବିତ (୨୪)। ଘଟଣାଟି ଟାଉନ୍‌ ଥାନା ଅଧୀନ ଅଞ୍ଚଳରେ ଘଟିଥିବାରୁ ପୁଲିସ ନମ୍ବର ୪୩୧/୧୭ରେ ଅଭିଯୁକ୍ତ ବଡ଼ ଭାଇ ସକାବତ୍‌ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଟାଉନ୍‌ ଥାନା ଅଧିକାରୀ ରଂଜିତ ସାହୁଙ୍କ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତ ସକାବତ୍‌ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦେଉଳଟାଙ୍ଗୀ ଗ୍ରାମରେ ସ୍ୱର୍ଗତ ସେକ୍‌ ସନାଉଲାଙ୍କ ୩ଟି ପତ୍ନୀ ଥିଲେ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ପିଲାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ତୃତୀୟ ପତ୍ନୀଙ୍କ ୩ଟି ପୁଅଙ୍କ ମଧ୍ୟରୁ ବଡ଼ ପୁଅ ହାଇଦ୍ରାବାଦରେ ରହୁଥିବା ବେଳେ ମଝିଆ ଓ ସାନ ପୁଅ ତୋଟାପଡ଼ା ଛକରେ ଚା’ ଓ ପାନ ଦୋକାନ କରି ପରିବାର ଚଳାଉଥିଲେ। ଆଜି ଅପରାହ୍‌ଣରେ ସାବିତ୍‌ ଦୋକାନରେ ଥିବା ବେଳେ ସେକ୍‌ ସନାଉଲାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ସକାବତ୍‌ ଦୋକାନ ନିକଟକୁ ଆସିଥିଲା। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏଥିପରେ ଉତ୍‌କ୍ଷିପ୍ତ ହୋଇ ସକାବତ୍‌ ଅତି ନିକଟରୁ ସାବିତ୍‌ଙ୍କ ମୁଣ୍ଡକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ସାବିତ୍‌ଙ୍କ ବାମ ଆଖିର ଉପରେ ବାଜି ମୁଣ୍ଡର ଆରପଟକୁ ପାର୍‌ ହୋଇଯାଇଥିଲା। ଏହି ଅଘଟଣ ଘଟାଇବା ପରେ ସକାବତ୍‌ ସେଠାରୁ ଫେରାର ହୋଇଯାଇଥିଲା।

ଖବର ପାଇ ପିସିଆର ସାବିତଙ୍କୁ ମୁମୂର୍ଷ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ମୃତକଙ୍କ ମଝିଆ ଭାଇ ମହମ୍ମଦ୍‌ ଗୋରା ଟାଉନ୍‌ ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୪୩୧/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ସକାବତ୍‌ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଜଣାଯାଇଛି।