ଖୋର୍ଦ୍ଧା: ପଥରରେ ଛେଚି ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା, ନିରାକାରପୁରରେ ଏହା ହେଉଛି ୪ର୍ଥ ଘଟଣା

ନିରାକାରପୁର: ପଥରରେ ଛେଚି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ରବିବାର ଜଣାପଡ଼ିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଭଟ୍ଟସାହିରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ ଭଟ୍ଟସାହିର ଭାଗିରଥୀ ଭଟ୍ଟମିଶ୍ରଙ୍କ ପୁଅ ମାନସ ଭଟ୍ଟମିଶ୍ର ଓରଫ ନାଲିଆ (୨୦)ଙ୍କୁ ହତ୍ୟା କରାଯାଇଛି। ଆଜି ଅପରାହ୍ନ ୩ଟା ୩୦ରେ ବେଳକୁ ସ୍ଥାନୀୟ ଲୋକେ ମାନସର ମୃତଦେହ ଠାବ କରିଥିଲେ। ମାନସର ମୃତଦେହ ନୂଆ ଜଗନ୍ନାଥ ସଡ଼କ ନିକଟରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨୦ ମିଟର ଦୂରରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାରକରିଛି। ପୁଲିସ ବିଭିନ୍ନ ଘଟଣାକୁ ଆଧାର କରି ଘଟଣାର ତଦନ୍ତ କରୁଛି।

ସ୍ଥାନୀୟ ଅଂଚଳର ଲୋକଙ୍କ କହିବା ଅନୁସାରେ ଭାଗିରଥୀ ଗାଁରେ ଭୋଗ ଦେକାନ କରିଛନ୍ତି। ମାନସର ସ୍ୱଭାବ ଭଲ ଥିବାରୁ ତାଙ୍କୁ ଗାଁରେ ଲୋକେ ଭଲ ପାଆନ୍ତି କିନ୍ତୁ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ବୁଝା ପଡୁନାହିଁ। ସୂଚନାଯୋଗ୍ୟ ନିରାକାରପୁର ଅଂଚଳରେ ପଥରରେ ଛେଚି ହତ୍ୟା କରାଯିବା ଘଟଣା ନୁଆ ନୁହେଁ। କାରଣ ୨୦୧୮ରେ ୩ ଜଣଙ୍କୁ ଏଭଳି ନୃଶଂସ ଭାବରେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର