ଖୋର୍ଦ୍ଧାରେ କରୋନା କଟକଣା କଡ଼ାକଡ଼ି, ମାସ୍କ ନପିନ୍ଧି ଜୋରିମାନା ଦେଲେ ୨୦ହଜାର ଟଙ୍କା

ଖୋର୍ଦ୍ଧା : ରାଜ୍ୟରେ କରୋନା ଭୂତାଣୁର ନୂତନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ୧୦ ଦିନ ପାଇଁ ପୁଲିସ ବଳ ନିୟୋଜିତ କରି କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିଦେ୍ର୍ଦଶ ଜାରି କରିଛନ୍ତି । ଏହି କ୍ରମରେ ଆଜି ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ପୁଲିସ ବ୍ୟାପକ ଯାଂଚ କରିବା ସହ ସାମାଜିକ କଟକଣା ମାନୁନଥିବା ଓ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିଛି ।

ଆଜି ସକାଳୁ ଖୋର୍ଦ୍ଧା ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଛକ, ନୂଆ ବସଷ୍ଟାଣ୍ଡ ଛକ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଯାଂଚ କରାଯାଇଥିଲା । ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେମାନଙ୍କୁ ତାଗିଦ୍ କରାଯିବା ସହ ଜୋରିମାନା ଆଦାୟ କରାଯାଇଥିଲା ।

ଏନେଇ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା କହିଛନ୍ତି ଆଜି ଅତିରିକ୍ତ ତହସିଲଦାରଙ୍କ ସହ ୨ଜଣ ପୁଲିସ୍ ଅଧିକାରୀ ଓ ୨ ସେକ୍ସନ୍ ପୁଲିସ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ମୁତୟନ ରହି ଯାଂଚ କରିଥିଲେ । ଆଜି ଗୋଟିଏ ଦିନରେ କରୋନା କଟକଣାକୁ ଅମାନ୍ୟ କରିଥିବା ଦଫାରେ ବିଭିନ୍ନ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଖୋର୍ଦ୍ଧା ଟାଉନରେ- ଏନଫୋର୍ସମେଣ୍ଟ କରାଯାଇ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ହେଲମେଟ୍ ଯାଂଚରେ ୧୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଯାଂଚକୁ କଡ଼ାକଡ଼ି କରାଯାଇଛି । ଏହା ସହ ଲୋକଙ୍କୁ ସାମାଜିକ ଦୂରତ୍ୱ, ନିୟମିତ ସାନିଟାଇଜ ହେବା ଓ ମାସ୍କ ପିନ୍ଧିବା ଆଦି ନିୟମକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରୁଛୁ ।

ସମ୍ବନ୍ଧିତ ଖବର