ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଐତିହାସିକ ବରୁଣେଇ ପୀଠରେ ପ୍ରସ୍ତାବିତ ପାଇକ ସ୍ମାରକୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଖୋର୍ଦ୍ଧାର ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଆଜି ସ୍ଥାନୀୟ ବରୁଣେଇ ପ୍ରସ୍ତାବିତ ପାଇକ ସ୍ମାରକୀ ପୀଠର ଭିତ୍ତିପ୍ରସ୍ତର ସ୍ଥାପନର ୧ ବର୍ଷ ପୂର୍ତ୍ତି ଅବସରରେ ନ୍ୟୁଥିଂକିଂ ଫୋରମ୍ ପକ୍ଷରୁ ଏକ ସଭା ହୋଇଥିଲା । ଏଥିରେ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଆସନ୍ତାକାଲି ପାଇକ ସ୍ମାରକୀ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନର ୧ ବର୍ଷ ପୂର୍ତ୍ତି ଘଟିବ । ଏଥିପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏଁ ଜମି ହସ୍ତାନ୍ତର କରିନଥିବାରୁ ଫୋରମ୍ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଏହାସହ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ଓ ବରୁଣେଇର ବିକାଶ ପାଇଁ ଦାବି କରାଯାଇଥିଲା । ଏନେଇ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର, ପ୍ରଧ୍ୟାପକ ଗୋପାଳ ଦାସ, କଳିଙ୍ଗ ପାଇକ ସଂଗଠନର ସଭାପତି ବଂଶୀଧର ଜଗଦେ୍ଦବ, ଶିଶିର ପରିଡ଼ା, ଅବନୀ ଜେନା, ଶୋଭନ ଘୋଷ, ପ୍ରମୋଦ ପଟ୍ଟନାୟକ, ଡ ବୃନ୍ଦାବନ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।