ଖୋର୍ଧା ଜିଲ୍ଲାରେ ମନରେଗା ନିଷ୍କ୍ରିୟ : ୧୧ ବର୍ଷରେ ସାମିଲ ହୋଇଛନ୍ତି ମାତ୍ର ୧୬ ପ୍ରତିଶତ ଗରିବ

ଖୋର୍ଧା : ଗ୍ରାମାଞ୍ଚଳରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଖୋର୍ଧା ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ କାଗଜ କଲମରେ ଚାଲିଛି। ଗ୍ରାମାଞ୍ଚଳ ଗରିବଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଦେବା ପାଇଁ ଲାଗୁ ହୋଇଥିବା ମନରେଗା ଯୋଜନା ଦିନକୁ ଦିନ ଜିଲ୍ଲାରେ ନିଷ୍କ୍ରିୟ ହୋଇ ଯାଉଛି। ୨୦୦୬ରୁ ଏହି ଯୋଜନା କାର୍ଯ୍ୟକାରୀ ହେଲାଣି। କିନ୍ତୁ ସରକାରୀ ରିପୋର୍ଟରୁ ମିଳିଥିବା ତଥ୍ୟ ମୁତାବକ ୨୦୧୬–୧୭ ମଧ୍ୟରେ ଜିଲ୍ଲାର ମାତ୍ର ୧୬.୫୦ ପ୍ରତିଶତ ଗରିବଙ୍କୁ ଏଥିରେ ସାମିଲ କରାଯାଇଛି। ସେହିଭଳି ଏହି ଯୋଜନାର ସଫଳତା ମଧ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି। ୨୦୧୫–୧୬ ଆର୍ଥିକ ବର୍ଷରେ ନିଆଯାଇଥିବା କାମର ସଫଳତା ୯୨.୩୫ ପ୍ରତିଶତ ଥିବା ବେଳେ ୨୦୧୬–୧୭ରେ ତାହା ହ୍ରାସ ପାଇ ୬୫.୮୧ ପ୍ରତିଶତ, ୨୦୧୭-୧୮ରେ ୫୮.୧୫ ପ୍ରତିଶତ ଓ ୨୦୧୮–୧୯ରେ ଏହା ଆଶ୍ଚର୍ଯ୍ୟଜନକ ଭାବେ ୨୭.୬୮ ପ୍ରତିଶତକୁ ହ୍ରାସ ପାଇଛି।

ଜିଲ୍ଲା ଯୋଜନା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬–୧୭ରେ ଜିଲ୍ଲାର ୧୦ଟି ବ୍ଲକ୍‌ରେ ୨୬୮୪୯ ପରିବାରଙ୍କୁ କର୍ମ ନିଯୁକ୍ତି ମିଳିଥିବାବେଳେ ମାତ୍ର ୧୦୪ଟି ପରିବାରଙ୍କୁ ହିଁ ଯୋଜନାର ପ୍ରତିଶ୍ରୁତି ମୁତାବକ ୧୦୦ ଦିନର କାମ ମିଳିଛି। ସେହିଭଳି ୨୦୧୬–୧୭ ଆର୍ଥିକ ବର୍ଷ ଶେଷରେ ୨୮୩୨୫ଟି ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରହିଥିବାବେଳେ ବର୍ଷ ଶେଷ ସୁଦ୍ଧା ୨୩୩୭ଟି ପ୍ରକଳ୍ପ ଶେଷ ହୋଇଥିଲା ଓ ୧୨୬୪୬ଟି ପ୍ରକଳ୍ପର କାମ ଜାରି ରହିଥିଲା। ୨୦୧୭-୧୮ ଓ ୨୦୧୮-୧୯ର ତଥ୍ୟ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ବର୍ତମାନ ସୁଦ୍ଧା ସଙ୍କଳନ କରି ନ ଥିବା ଯୋଜନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ଖୋଦ୍‌ ଖୋର୍ଦ୍ଧା ବ୍ଲକ୍‌ରେ ହିଁ ଏହି ଯୋଜନା ସ୍ଥାଣୁ ପାଲଟି ଯାଇଛି। ୨୦୧୫–୧୬ରେ ଖୋର୍ଦ୍ଧା ବ୍ଲକ୍‌ରେ କାର୍ଯ୍ୟାନ୍ବୟନ ସଫଳ ହାର ୯୫.୯୨ ପ୍ରତିଶତ ଥିବା ବେଳେ ୨୦୧୮–୧୯ରେ ଏହା ୮.୦୮ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ଜିଲ୍ଲାରେ ୧ଲକ୍ଷ ୬୪ହଜାର ପରିବାର ବିପିଏଲ୍ ଥିବା ବେଳେ ମନରେଗା ଯୋଜନାରେ ୧ଲକ୍ଷ ୪୦ ହଜାର ପରିବାରର ୪ଲକ୍ଷ ୬୮ ହଜାର ବ୍ୟକ୍ତିଙ୍କୁ ଜବ୍ କାର୍ଡ ପ୍ରଦାନ କରାଯାଇ ଥିବା ବେଳେ ମାତ୍ର ୧ଲକ୍ଷ ୧୨ହଜାର ବ୍ୟକ୍ତିଙ୍କ ବ୍ୟାଙ୍କ୍ ଖାତା ଖୋଲା ଯାଇପାରିଛି।

ସମ୍ବନ୍ଧିତ ଖବର