ନିରାକାରପୁର : କମେଣ୍ଟମରାକୁ କେନ୍ଦ୍ର କରି ମାରପିଟ୍, ହଣାହଣି, ହତ୍ୟା, ଶବ ରଖି ରାସ୍ତାରୋକ ଭଳି ଘଟଣା ଯୋଗୁଁ ରାମେଶ୍ୱର ପଞ୍ଚାୟତରେ ଶୁକ୍ରବାରଠାରୁ ଅସ୍ଥିରତା ଲାଗି ରହିଛି। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ରଙ୍ଗ ଖେଳି ଖଜୁରିପଡ଼ା ଗ୍ରାମର କିଛି ଯୁବକ ଗାଁ ମୁଣ୍ଡ ସ୍କୁଲ ଛକରେ ବସିଥିଲେ। ସେହି ସମୟରେ ଗାଁର ଦେବୀପ୍ରସାଦ ବକ୍ସିପାତ୍ରଙ୍କ ସମେତ ନିକଟସ୍ଥ ବୋଡ଼ଙ୍ଗରା ଗ୍ରାମର ୭ରୁ ୮ଜଣ ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ ଓ କମେଣ୍ଟ ମାରିଥିଲେ। ଏହି ଘଟଣାକୁ ନେଇ ଦୁର୍ବୃତ୍ତମାନେ ଜଣଙ୍କୁ ଠେଙ୍ଗାରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ଯୁବକଜଣଙ୍କ ହେଲେ, ଖଜୁରିପଡ଼ା ତଳସାହିର ଗନ୍ଧର୍ବସେନ୍ ପାତ୍ରଙ୍କ ସାନପୁଅ ସନ୍ତୋଷ କୁମାର ପାତ୍ର (୨୬)। ଆହତମାନେ ହେଲେ, ଖଜୁରିପଡ଼ା ଉପରସାହିର ନିରଂଜନ ବଳବନ୍ତରାୟ (୪୦), ତଳସାହିର ଲକ୍ଷ୍ମୀପ୍ରିୟା ପାତ୍ର (୧୭) ଓ ରୋଡ୍ସାହିର କୁମାରୀ ସେଠୀ (୬୦)। ନିରାକାରପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଖଜୁରିପଡ଼ା ଗ୍ରାମର ଦେବୀ ପ୍ରସାଦ ବକ୍ସିପାତ୍ରଙ୍କ ସମେତ ମୋଟ ୪ଜଣଙ୍କୁ ଗିରଫ କରିଛି। ଏନେଇ ଥାନାରେ ନମ୍ବର ୨୮/୧୮ରେ ଏକ ମାମଲା ରୁଜୁ କରି ବାକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ୩ଟି ବାଇକ୍ ଜବତ କରିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବାକି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ ଦାବିରେ ଖଜୁରିପଡ଼ା ଗ୍ରାମବାସୀମାନେ ଗତକାଲି ପାଦୁକାଇ ଛକଠାରେ ନୂଆଜଗନ୍ନାଥ ସଡ଼କ ଓ ଆଜି ନିରାକାରପୁର ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିରାକାରପୁର ପୁଲିସ, ଖୋର୍ଧା ଅତିରିକ୍ତ ଏସ୍ପି ପିକେ ସ୍ୱାଇଁ, ସଦର ଆଇଆଇସି ବିକ୍ରମ କେଶରୀ ଜେନା, ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ତରଫରୁ ୧୦ ହଜାର ଟଙ୍କା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେବାରୁ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିଥିଲେ।
ସେହିପରି ଆଜି ଶବ ବ୍ୟବଚ୍ଛେଦ ପରେ ସନ୍ତୋଷଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପୁନର୍ବାର ରାସ୍ତାରୋକ ଓ ଥାନା ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ସମେତ ବାକି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉତ୍ତ୍ୟକ୍ତ ଲୋକେ ଥାନା ଆଗରେ ନାରାବାଜି କରିଥିଲେ।
ଘଟଣାର ପୃଷ୍ଠଭୂମି:
ଗତକାଲି ସମୟ ପାଖାପାଖି ସାଢ଼େ ୧୨ଟା ବେଳେ ଖଜୁରିପଡ଼ାର କିଛି ଯୁବକ ହୋଲି ଖେଳ ସାରି ଗାଁ ମୁଣ୍ଡ ସ୍କୁଲ ଛକରେ ବସିଥିବା ବେଳେ ସେହି ଗ୍ରାମର ଦେବୀପ୍ରସାଦ ବକ୍ସିପାତ୍ରଙ୍କ ସମେତ ୨/୩ଟି ବାଇକ୍ରେ ସ୍ଥାନୀୟ ବୋଡ଼ଙ୍ଗରା ଗ୍ରାମର ୭/୮ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ ସହ କମେଣ୍ଟ ମାରିଥିଲେ। ଏହାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ବୋଡ଼ଙ୍ଗରାର ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ପ୍ରାୟ ୧୦ରୁ ୧୨ଟି ବାଇକ୍ରେ ୨୦ରୁ ଊର୍ଧ୍ୱ ବୋଡ଼ଙ୍ଗରାର ଯୁବକ ହାତରେ ଠେଙ୍ଗା, ବାଡ଼ି, କଟୁରି ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଉକ୍ତ ସ୍କୁଲ ଛକରେ ତନାଘନା କରିଥିଲେ। ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦ ଜରିଆରେ ଦୁର୍ବୃତ୍ତମାନେ ସେମାନଙ୍କ ଘରକୁ ଯାଇ ଟେକାପଥର ମାଡ଼ କରିବା ସହ ଗାଁରେ ଉତ୍ପାତ କରିଥିଲେ। ଯାହାକୁ ଯେଉଁଠି ଦେଖିଲେ, ଗୋଡ଼ାଇ ଗୋଡ଼ାଇ ହାଣିଲେ ଓ ପିଟିଲେ। ସେତିକିବେଳେ ଘଟଣା ସଂପର୍କରେ ଆଦୌ ଜାଣି ନଥିବା ସନ୍ତୋଷ ଗାଁ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦେବୀ ପ୍ରସାଦ ତାଙ୍କ ମୁଣ୍ଡ ପଛପଟକୁ ଏକ ଶକ୍ତ ପ୍ରହାର କରିଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସେହିପରି ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଁର ଲକ୍ଷ୍ମୀପ୍ରିୟା ପାତ୍ର, ବୃଦ୍ଧା କୁମାରୀ ସେଠୀ ଓ ନିରଂଜନ ବଳବନ୍ତରାୟ ଆହତ ହୋଇଥିଲେ। ଆହତମାନଙ୍କୁ ଖୋର୍ଧା ହସ୍ପିଟାଲରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି।