କାର ଧକ୍କାରେ ଗୁରତର ଆହତ ବୃଦ୍ଧଙ୍କ ଏମ୍ସରେ ମୃତ୍ୟୁ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମଧୂବନ ଛକ ନିକଟରେ ଆଜି କାର ଦୁର୍ଘଟଣା ଶିକାର ହୋଇଥିଲେ ରାଧାକୃଷ୍ଣ ପରିଡା (୭୫ ) । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରତର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା . ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସ ମେଡିକାଲରେ କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଝିଅ ରଞ୍ଜନା ନାୟକ ସୂଚନା ଦେଇଛନ୍ତି | ଆସନ୍ତା କାଲି ବାଲିପାଟଣା ପୁଲିସ ଉପସ୍ଥିତିରେ ଶବ ବ୍ୟବଛେଦ କରାଯିବ ବୋଲି ଥାନା ଅଧିକାରି ରାଧାକାନ୍ତ ସାହୁ କହିଛନ୍ତି ।
ପ୍ରକାଶ ଥାଉ କି, ସରଦେଇପୁର ରୁ ବାଲିପାଟଣା ଅଭିମୁଖେ ଏକ ନାଲି ରଙ୍ଗର କ୍ରେଟା ଆସୁଥିଲା । ଗାଡ଼ି ନମ୍ବର ଓଡି ୦୨ ଏଏକ୍ସ ୨୦୫୬ ମଧୁବନ ଛକ ନିକଟରେ ରାଧାକୃଷ୍ଣଙ୍କୁ ଧକ୍କା ଦେବା ପରେ ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ରାସ୍ତା କଡ଼କୁ ଖସିଯାଇଥିଲା । ଖୁଣ୍ଟଟି ଭାଙ୍ଗି ରାସ୍ତା ଉପରେ ପଡିଥିଲା । ଲାଇନ ସଂଯୋଗ କଟାଯାଇ ଖୁଣ୍ଟ ହଟା ଯାଇଥିଲା । ବାଲିପାଟଣା ବିଦ୍ୟୁତ ବିଭାଗ ତରଫରୁ ଗାଡ଼ି ଚାଳକଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିବା ଯନ୍ତ୍ରୀ ମଦନ ମୋହନ ଜେନା କହିଛନ୍ତି । ଦୁର୍ଘଟଣାରେ ମୃତ ରାଧାକୃଷ୍ଣଙ୍କ ପରିବାର ତରଫରୁ ମଧ୍ୟ କାଲି ଲିଖିତ ଅଭିଯୋଗ ଦଆଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ଘଟାଇଥିବା କାରକୁ ଥାନାରେ ଅଟକ ରଖାଯାଇଛି ।

ସମ୍ବନ୍ଧିତ ଖବର