କରୋନାରେ କଣ୍ଟ୍ରୋଲ ଡିଲରଙ୍କ ମୃତ୍ୟୁ, ବାଲିଅନ୍ତାରେ ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

ବାଲିଅନ୍ତା  :ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣେ କଣ୍ଟ୍ରୋଲ ଡିଲର ଥିବା ଜଣାପଡ଼ିଛି । ତାଙ୍କ ଘର କାକରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ । ତାଙ୍କର ବୟସ ପାଖାପାଖି ୫୦ ବର୍ଷ ହେବ । ଆଜି ରାତି ୮ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପୂର୍ବରୁ ବାଲିଅନ୍ତାରେ ମୋଟ ୨୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ବେଳେ ମୃତ ଡିଲରଙ୍କ ମୃତ୍ୟୁକୁ ମିଶାଇ ମୋଟ ୨୪ ଜଣଙ୍କ ମୃତ୍ୟୁ ଘଟିଲାଣି । ପ୍ରାପ୍ତ ସୂଚନାନୁଯାୟୀ ୧୫ ଦିନ ପୂର୍ବେ ତାଙ୍କର  ହୃଦଘାତ ହୋଇଥିଲା । ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ କୋଭିଡ ପରୀକ୍ଷା କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ତେଣୁ ତାଙ୍କର କୋଭିଡ଼ ଚିକିତ୍ସା କରାଯାଇଥିଲା । ଆଜି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ଆୟୁସିୟୁରେ ଭେଣ୍ଟଲେଣ୍ଟର ଲାଗିଥିଲା । ହେଲେ ରାତି ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆସିନ୍ତାକାଲି ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ଏବଂ ବିଏମସି ସ୍ବର୍ଗରଥ ସହାୟତାରେ ସତ୍ୟନଗର ଶ୍ମଶାନରେ ସତ୍କାର ହେବ ବୋଲି ସୂଚନା ମିଳିଛି । ଖବର ପାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ପହଞ୍ଚି ଏହାର ତଦନ୍ତ କରି ତାଙ୍କ ପରିବାର ଲୋକଙ୍କ ଠାରୁ ରିପୋର୍ଟ ସଂଗ୍ରହ କରିଛନ୍ତି ।

ସମ୍ବନ୍ଧିତ ଖବର