ଟ୍ରକ୍‌ ଧକ୍କାରେ ଭାଣେଜୀ ମୃତ, ଗୁରୁତର ମାମୁଁ-ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି 

ନିରାକାରପୁର(ଖୋର୍ଦ୍ଧା): ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ଗୋଳବାଇ ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଲୋମହର୍ଷଣକାରୀ ଦୁର୍ଘଟଣାରେ ୩ ବର୍ଷର ଶିଶୁ ପ୍ରଜ୍ଞାପରମିତା ସୁନ୍ଦରାୟଙ୍କ ମୃତ୍ୟୁ ହୋଇଥିବା ବେଳେ ତା’ର ମାମୁଁ ଓ ମା’ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ମଝିସାହୀ ନିବାସୀ କିଶୋର ସୁନ୍ଦରାୟଙ୍କ ପତ୍ନୀ ରୀତାରାଣୀ ସୁନ୍ଦରାୟ ଓ ଝୀଅ ପ୍ରଜ୍ଞାପରମିତାଙ୍କୁ ନେଇ ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗ୍ରାମର ନିଜର ଭାଇ ଅଶୋକ କୁମାର ରାଉତରାୟଙ୍କ ସହିତ ବାଇକ୍‌ରେ ଯାଉଥିଲେ। ମୋଟା ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ୩ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଭାଇ-ଭଉଣୀ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଅନ୍ୟ ପକ୍ଷରେ ୩ବର୍ଷର ଶିଶୁ ଟ୍ରକ ଚକା ତଳେ ପଡ଼ି ଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଥିଲା। ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା କ୍ଷତି ପୂରଣ ଦିଆଯିବା ସହିତ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଭାଉ-ଭଉଣୀଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିବା ବେଳେ ଟ୍ରକ ଚାଳକକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର