ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଜୋର ଧରୁଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ପାଇକ ସ୍ମୃତି ସ୍ତମ୍ଭ ଅଲୋଡ଼ା ହୋଇଯାଇଥିବା ବେଳେ ପାଇକ ସଂଗ୍ରହାଳୟ ଓ ସର୍ବୋପରି ଐତିହାସିକ ଗଡ଼ ଖୋର୍ଦ୍ଧାର ଅସ୍ତିତ୍ୱ ଶେଷ ହେବାକୁ ବସିଛି ।
୧୨ ବର୍ଷ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ପାଇକ ବିଦ୍ରୋହରେ ସହିଦ ହୋଇଥିବା ବୀର ପାଇକଙ୍କ ସ୍ମୃତିରେ ପ୍ରାୟ ୩ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଥିଲା । ଏହାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏହି ସମୟରେ, ସଂସ୍କୃତି ବିଭାଗ କୋଠା ନିର୍ମାଣ କରିବାକୁ ୨୦ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଅନୁଦାନ ଅର୍ଥ ସହ ବିଧାୟକ ଓ ସାଂସଦ ହାତପାଣ୍ଠି ଅନୁଦାନର ସହାୟତାରେ ସ୍ମୃତିସ୍ତମ୍ଭ ପଛପଟେ ଥିବା ସ୍ଥାନରେ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ କରାଯାଇଥିଲା । ଉଭୟ ପାଇକ ସ୍ମୃତିସ୍ତମ୍ଭ ଓ ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଦୁଇ ମହଲା କୋଠାକୁ ପାଇକ ସଂଗ୍ରହାଳୟ ଭାବେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ଏଠାରେ ପାଇକଙ୍କ ଖଣ୍ଡା, ପୋଷାକ ଆଦି ମଧ୍ୟ ରଖାଯାଇଥିଲା । ଦୀର୍ଘ ବର୍ଷ ଧରି ତଥାକଥିତ ସଂଗ୍ରହାଳୟ ଅବ୍ୟବହୃତ ହୋଇ ପଡ଼ିବା ପରେ ବର୍ତମାନ ଏହାର ମରାମତି କରାଯାଇଛି । ଏନେଇ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସଂଗ୍ରହାଳୟ କରିବାକୁ ମୌଖିକ ନିଦେ୍ର୍ଦଶ ରହିଥିଲା, କିନ୍ତୁ ଏହାକୁ ବିଧିବଦ୍ଧ ଭାବେ ସଂଗ୍ରହାଳୟରେ ପରିଣତ କରିବାକୁ ପ୍ରଶାସନିକସ୍ତରରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏନେଇ ସଂସ୍କୃତି ବିଭାଗ ପକ୍ଷରୁ ଏକାଧିକ ଥର ରାଜ୍ୟ ସଂଗ୍ରହାଳୟ କର୍ତୃପକ୍ଷ, ରାଜ୍ୟ ସଂସ୍କୃତି ବିଭାଗ ଆଦିକୁ ପ୍ରସ୍ତାବ ଦିଆଯାଇଛି ଓ ଏନେଇ କିଛି ମାସ ତଳେ ମଧ୍ୟ ପୁଣିଥରେ ଏନେଇ ସ୍ମରଣପତ୍ର ଲେଖାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଏକ ପ୍ରମୁଖ କାର୍ଯ୍ୟାଳୟ ପରିସରରେ ଏଭଳି ସହିଦ ପାଇକଙ୍କ ଉଦେ୍ଦଶ୍ୟରେ ନିର୍ମାଣ କରାଯାଇଥିବା ସ୍ମୃତିସ୍ତମ୍ଭ ଓ ପ୍ରତିଶ୍ରୁତିରେ ଥିବା ସଂଗ୍ରହାଳୟ ନେଇ ଜିଲ୍ଲାର କୌଣସି ପାଇକ ସଂଗଠନ କିମ୍ବା ବର୍ତମାନ ପାଇକ ବିଦ୍ରୋହର ମାନ୍ୟତା ପାଇଁ ଲଢ଼ୁଥିବା କୌଣସି ନେତାଙ୍କ ଆଗ୍ରହ ଦେଖିବାକୁ ମିଳିନାହିଁ । ପ୍ରତିବର୍ଷ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଜୟନ୍ତୀ କିମ୍ବା ବଳିଦାନ ଦିବସରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପଂଚ ପାଇକ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଏ କିନ୍ତୁ ପାଇକ ସହିଦ ସ୍ମୃତି ସ୍ତମ୍ଭ ପ୍ରତି କେହି ସମ୍ମାନ ଜଣାନ୍ତି ନାହିଁ ।
ଅପରପକ୍ଷରେ, ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ଥିବା ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଐତିହାସିକ ଖୋର୍ଦ୍ଧା ଗଡ଼ ବର୍ତମାନ ଦରଭଙ୍ଗା ପ୍ରାଚୀର ବ୍ୟତୀତ ଆଉ କିଛି ଦେଖିବାକୁ ମିଳୁନାହିଁ । ଏହାର ପୁନରୁଦ୍ଧାର ପାଇଁ ଏକାଧିକ ସଂଗଠନ ଗଠିତ ହୋଇଛି । ବିଭିନ୍ନ ସମୟରେ ସଂଗଠନଗୁଡ଼ିକ ପକ୍ଷରୁ ଦାବି, ରାଲି ଆଦି ଆୟୋଜନ ହେଉଛି । ଏପରିକି ୨୦୨୧ରେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ସମୟରେ ରାଜ୍ୟ ସରକାର ମଧ୍ୟ ଏହାର ପୁନୁରୁଦ୍ଧାର ପାଇଁ ସଭାରେ ପ୍ରତିଶ୍ରୁତି ଦେଇଥିଲେ । ବର୍ତମାନ ଏନେଇ କୌଣସି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ । ବର୍ତମାନ ସମଗ୍ର ପରିସର ଅନାବନା କଂଟାବୁଦାରେ ଭରପୂର ହୋଇଯିବା ସହ ଆଖପାଖର ଲୋକ ସେଠାରେ ମଳତ୍ୟାଗ କରୁଛନ୍ତି । ଖୋର୍ଦ୍ଧାରେ ବୀର ପାଇକ ପରଂପରାର ସୁରକ୍ଷାର କଥା କେବଳ ଭାଷଣରେ ସୀମିତ ନରହି ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ଆଜି ବିଶ୍ୱ ପରଂପରା ଦିବସ: ପାଇକ ମାଟିରେ ଅଲୋଡ଼ା ପଡ଼ିଛି ପାଇକ ସ୍ତମ୍ଭ ଓ ଖୋର୍ଦ୍ଧା ଗଡ଼
/sambad/media/post_attachments/wp-content/uploads/2023/04/download-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)