ପ୍ରଶାସନର ତୃଣମୂଳସ୍ତରରେ ଅଟକି ରହୁଛି ଲୋକଙ୍କ ସମସ୍ୟାର ସମାଧାନ

ଖୋର୍ଦ୍ଧା: ଗଣତନ୍ତ୍ର ରାଷ୍ଟ୍ରରେ ଜନତା ହେଉଛି ସର୍ବେସର୍ବା। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସରକାର ସେମାନଙ୍କ ପାଇଁ କାମ କରୁଛି। ସରକାରଙ୍କ ଅଧୀନରେ କାମ କରୁଥିବା ସାଧାରଣ ଚପରାସୀ ଠାରୁ ମୁଖ୍ୟ ଶାସନ ସଚିବ ସମସ୍ତେ ଜନତାଙ୍କ ସେବକ। ସରପଞ୍ଚ ଠାରୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ସମସ୍ୟା ସମାଧାନ ପାଇଁ ସରକାର ଗଠନ କରନ୍ତି, ଏହିସବୁ କଥା ଶୁଣାଯାଉଥିଲେ ମଧ୍ୟ ସ୍ଥଳ ବିଶେଷରେ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି। ବିଡିଓଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିୟମିତ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଥିଲେ ମଧ୍ୟ ଅଧାରୁ ଅଧିକ ଆପତ୍ତି ଅଭିଯୋଗର ସମାଧାନ ହୋଇ ପାରୁନାହିଁ । ୨୦୨୦ ଓ ୨୦୨୧ କରୋନା ସଂକ୍ରମଣ ପାଇଁ ବିଡିଓ, ତହସିଲଦାର, ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ଜନ ଅଭିଯୋଗ ଗ୍ରହଣ କରିବା ପ୍ରକ୍ରିୟା ବନ୍ଦ ରହିଥିଲା। ତେବେ ୩୦ ଏପ୍ରିଲ ୨୦୨୧ ଠାରୁ ଅନଲାଇନରେ ଅଭିଯୋଗ ଦାଖଲ ପାଇଁ ସରକାର ବ୍ୟବସ୍ଥା କରିଥିଲେ। କିନ୍ତୁ ସାଧାରଣ ଅଶିକ୍ଷିତ, ଗରିବ ଲୋକଟି ଇଣ୍ଟରନେଟ, ଅନଲାଇନର ବ୍ୟବହାର ସମ୍ପର୍କରେ ସଚେତନ ନଥିବାରୁ ଅନେକ ସମୟରେ ଅଭିଯୋଗ ଦାଖଲ କରି ପାରୁନଥିଲେ। କେତେକ ଅନ୍ୟର ସହାୟତା ନେଇ ଅଭିଯୋଗ ଦାଖଲ କରୁଥିଲେ। ବର୍ତ୍ତମାନ ଏହି ଅନଲାଇନ ପ୍ରକ୍ରିୟା ଦାଖଲର ପ୍ରାୟ ୨ବର୍ଷ ପୂର୍ତି ହେବାକୁ ଯାଉଛି। ସେହିଭଳି, କରୋନା ସଂକ୍ରମଣ ଭୟ କମିବା ପରେ ୧୮ ଏପ୍ରିଲ ୨୦୨୨ ଠାରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣିବା ଆରମ୍ଭ ହେଲା। ଏହା ମଧ୍ୟରେ ୩୪ଟି ଅଭିଯୋଗ ପ୍ରକୋଷ୍ଠ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯୦୦୨ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ଏହା ମଧ୍ୟରୁ ୫୭୬୮ଟି ସମାଧାନ କରାଯାଇଛି। ପ୍ରାୟ ୩୦ ପ୍ରତିଶତ, ଅର୍ଥାତ୍ ୨୪୬୮ ଟି ଅଭିଯୋଗର ଏଯାଏଁ ସମାଧାନ ହୋଇ ପାରିନାହିଁ। ଏହା ବ୍ୟତିତ ଏହି ସମୟ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୯୨୯ଟି ଅଭିଯୋଗ ଗ୍ରହଣ ହୋଇଛି।

୩୦ ଏପ୍ରିଲ ୨୦୨୧ ଠାରୁ ଅଦ୍ୟାବଧି ଅନଲାଇନରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୩୮୭ଟି ଅଭିଯୋଗ ଗ୍ରହଣ କରି ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅନଲାଇନରେ ଅଭିଯୋଗ ପ୍ରକୋଷ୍ଠ ୧୦୩୫ଟି ଅଭିଯୋଗ ଗ୍ରହଣ କରି ଜିଲ୍ଲା ପ୍ରଶାସନ ନିକଟୁ ସମାଧାନ ପାଇଁ ପଠାଇଛି। ୧୦ଟି ତହସିଲ କାର୍ଯ୍ୟାଳୟ ମୋଟ ୧୦୮୧ଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରୁ ୯୨୭ଟିର ସମାଧାନ ହୋଇଥିବା ବେଳେ ୧୨୧ଟିର ସମାଧାନ ହୋଇ ପାରିନାହିଁ। ସେହଭଳି ୧୦ଟି ବ୍ଲକର ବିଡିଓ ମୋଟ ୨୪୧୦ଟି ଅନଲାଇନରେ ଅଭିଯୋଗ ଗ୍ରହଣ କରିଥିବା ବେଳେ ସେ ମଧ୍ୟରୁ ୧୭୨୩ଟିର ସମାଧାନ ହୋଇଛି ଓ ୬୬୩ଟିର ସମାଧାନ ହୋଇ ପାରିନାହିଁ। ପରିସଂଖ୍ୟାନରେ ବିଡିଓଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଆପତ୍ତି ଅଭିଯୋଗ ସର୍ବାଧିକ ସମାଧାନ ନହୋଇ ପଡ଼ି ରହୁଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକ, ବୃଦ୍ଧ, ଅସହାୟ ଜିଲ୍ଲାପାଳ କାର୍ଯ୍ୟାଳୟକୁ ସହଜରେ ଆସି ପାରୁନଥିବା ବେଳେ ବ୍ଲକସ୍ତରର ଅଧିକାରୀଙ୍କ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ଅନେକ ସମୟରେ ବ୍ଲକସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନାହିଁ।

ସମ୍ବନ୍ଧିତ ଖବର