୩ ଦିନ ବିତିଲା, ଅଧିକାରୀଙ୍କ ଦେଖାନାହିଁ

୭ ଦଫା ଦାବିରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଟାଙ୍ଗୀ (ଖୋର୍ଧା) : ୭ଦଫା ଦାବି ପୂରଣ ନେଇ ୨୨ ତାରିଖରୁ ଓଡ଼ିଶା ପାୱାର ଏମ୍ପ୍ଲଇଜ୍‌ ୟୁନିଅନ୍‌, ବାଲୁଗାଁ ଶାଖା ପକ୍ଷରୁ ବାଲୁଗାଁ ବିଦ୍ୟୁତ୍‌ ଡିଭିଜନ୍‌ରେ କାର୍ଯ୍ୟରତ ଫେଡ୍‌କୋ କର୍ମଚାରୀମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ତୃତୀୟ ଦିନରେ ପହଞ୍ଚିଛି। କିନ୍ତୁ ଏପର୍ଯ୍ୟନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଧାରଣାସ୍ଥଳକୁ ନ ଆସିବାରୁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।

କର୍ମଚାରୀଙ୍କ ଦାବିଗୁଡ଼ିକ ହେଲା, ଇପିଏଫ୍‌ଓ ବାବଦରେ ଦରମାରୁ କଟୁଥିବା ଟଙ୍କାର ସ୍ଳିପ୍‌ ପ୍ରଦାନ, ଶ୍ରମ ଆଇନ ଅନୁଯାୟୀ କାର୍ଯ୍ୟ ଅନୁସାରେ କର୍ମଚାରୀମାନଙ୍କୁ ଦରମା ପ୍ରଦାନ, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, କର୍ମଚାରୀଙ୍କୁ ପ୍ରତ୍ୟେକ ମାସର ସାଲାରି ସ୍ଳିପ୍‌ ଦିଆଯିବା ଇତ୍ୟାଦି। ଏହି ଆନ୍ଦୋଳନ ପୂର୍ବରୁ ସଂଘ ପକ୍ଷରୁ ଫିଡ୍‌କୋର ପ୍ରାଞ୍ଚାଇଜ୍‌ ନୀଳାଚଳ ପାୱାର ନେଟ୍‌ୱର୍କର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଖୋର୍ଧା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସହଶ୍ରମ ଆୟୁକ୍ତଙ୍କ ସମେତ ସମସ୍ତ ଅଧିକାରୀମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। କିନ୍ତୁ ଦାବିଗୁଡ଼ିକ ପ୍ରତି କର୍ତୃପକ୍ଷ ଦୃଷ୍ଟି ନଦେବାରୁ ଗତ ୨୨ତାରିଖଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। କର୍ମଚାରୀଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସାଧାରଣ ବିଦ୍ୟୁତ୍‌ ଉପଭୋକ୍ତା ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର