ଖୋର୍ଦ୍ଧା : ଗତକାଲି ଭୋରରେ ପୁବୁସାହି- ଜୟମଙ୍ଗଳ ରାସ୍ତାରେ ସେହି ଗାଁର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଆଜି ହତ୍ୟାର କାରଣ ଉପରୁ ପୁଲିସ ପରଦା ଉଠାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ମଝିଆ ପୁଅ ଏହି ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନାନୁସାରେ, ଗତକାଲି ଭୋରରେ ସ୍ଥାନୀୟ ଲୋକ ପୁବୁସାହି-ଜୟମଙ୍ଗଳ ରାସ୍ତାରେ ସେହିଗାଁର ଜଣେ ବୟସ୍କ ଲୋକଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ୍ ପ୍ରାଥମିକ ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜାଣିପାରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ମୃତ ଗଗନ ବିହାରୀ ବେହେରାଙ୍କ ୩ ପୁଅଙ୍କୁ ପଚରାଉଚୁରା କରିଥିଲା। ଏହା ସହ ସ୍ଥାନୀୟ ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିରେ ପୁଲିସ୍ ମଝିଆ ପୁଅ ଉପରେ ସନ୍ଦେହ କରିଥିଲେ। ପଚରାଉଚୁରା ସମୟରେ ଗଗନଙ୍କ ମଝିଆ ପୁଅ ନରେଶ ବେହେରା (୩୪) ସମ୍ପତ୍ତି ଭାଗବଂଟାକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଥିଲେ।
ଗତ କିଛି ଦିନ ପୂର୍ବେ ଗଗନ ନିଜର ଏକ ସ୍ଥାବର ସମ୍ପତ୍ତି ବିକ୍ରି କରି ୩୦-୪୦ଲକ୍ଷ ଟଙ୍କା ପାଇଥିଲେ । ସମ୍ପତ୍ତିରୁ ଭାଗ ପାଇଁ ମଝିଆ ପୁଅ ଦାବି କରିଆସୁଥିଲା । ତେବେ ମଝିଆପୁଅ ଗତ ୭-୮ ବର୍ଷ ଧରି ଘରକୁ ଆସୁନଥିବା ଓ ଘରର କୌଣସି ସମସ୍ୟା ସମାଧାନରେ ଯୋଗଦାନ ନଥିବାରୁ ଗଗନ ଏହି ସମ୍ପତ୍ତରେ ଭାଗ ଦେବାକୁ କୁଆଡ଼େ ମନା କରିଦେଇଥିଲେ । ଫଳରେ ଏଥିରେ ଉତ୍କ୍ଷୀପ୍ତ ହୋଇ ଗତ ୫-୬ ଦିନ ଧରି ନରେଶ ନିଜ ବାପାଙ୍କୁ ମାରିଦେବାକୁ ଧମକଚମକ ଦେଉଥିଲେ । ୧୫ ତାରିଖ ରାତିରେ ଗଗନଙ୍କୁ ଏକୁଟିଆ ପାଇ ଆକ୍ରମଣ କରି ହତ୍ୟା କରିଥିଲେ।
ଏସ୍ଡିପିଓ ସୁଶୀଲ ମିଶ୍ରଙ୍କ କହିବାନୁସାରେ, ଘଟଣାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ନରେଶଙ୍କୁ ଅଟକ ରଖିଛି । ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dead-indiatoday7.png)