ରାଜସୁନାଖଳା: ଖୋର୍ଦ୍ଧା–ବାଲଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ରାଜସୁନାଖଳା ବସ୍ଷ୍ଟାଣ୍ତ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ଏଠାକୁ ଦୈନିକ ଅନେକ ସଂଖ୍ୟାରେ ଯାତ୍ରୀ ଆସୁଥିଲେ ମଧ୍ୟ ଏଠାକାର ଅବ୍ୟବସ୍ଥାକୁ ଦେଖି ଯାତ୍ରୀ ମୁହଁ ଫେରାଉଥିବା ଜଣାପଡ଼ିଛି। ଏଠାରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଯାତ୍ରୀମାନେ ବିଭିନ୍ନ ସମସ୍ୟା ଭୋଗ କରୁଥିବା ଦେଖିବାକୁ ମିଳୁଛି। ଏହି ବସ୍ଷ୍ଟାଣ୍ତଟି ଉଭୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଥିବାରୁ ଏଠାକୁ ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ପ୍ରତ୍ୟହ ଶତାଧିକ ଯାତ୍ରୀ ଆସିଥାନ୍ତି। ମାତ୍ର ଏଠାରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ବର୍ଷା, ଶୀତ, କାକରରେ ବାହାରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି, ଯାହା ବ୍ୟଥିତ କରୁଛି ଯାତ୍ରୀଙ୍କୁ। ଅନ୍ୟ ପକ୍ଷରେ ଏହି ଷ୍ଟାଣ୍ତକୁ ଲାଗି ସୁଲଭ ଶୌଚାଳୟ ଓ ସ୍ନାନାଗାର ଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ଭୂତକୋଠୀରେ ପରିଣତ ହୋଇଛି। ରାଜସୁନାଖଳା ଶୁଖୁଆ ଏବଂ ସୁନା ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ନୟାଗଡ଼ ଜିଲ୍ଲାର ଏକ ବାଣିଜ୍ୟକ ବ୍ୟବସାୟ କେନ୍ଦ୍ରର ପେଣ୍ଠସ୍ଥଳୀ ରୂପେ ପରିଚିତ ହୋଇଥିବାରୁ ଯାତ୍ରୀଙ୍କ ବ୍ୟତୀତ ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ଲୋକ ଆସିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୯୫ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହାୟତାରେ ଲକ୍ଷାଧିକ ଟଙ୍କାରେ ଏଠାରେ ଏକ ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିଲା, ମାତ୍ର ସଠିକ୍ ପରିଚାଳନା ଅଭାବରୁ ଏହି ଶୌଚାଳୟ ବିପର୍ଯ୍ୟସ୍ତ ହେବା ସହ ଭୂତ କୋଠୀରେ ପରିଣତ ହୋଇଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ବିଶେଷ କରି ମହିଳାମାନେ ହଇରାଣ ହରକତ ହେଉଛନ୍ତି। ତେବେ ଏଠାକାର ସମସ୍ତ ସମସ୍ୟା ପ୍ରତି ପ୍ରଶାସନ ଓ ରାଜନେତା ତୁରନ୍ତ ଦୃଷ୍ଟି ଦେବା ସହ ଏଠାକାର ଶୌଚାଳୟକୁ ତୁରନ୍ତ ପୁନରୁଦ୍ଧାର କରିବା, ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଯାତ୍ରୀ ବିଶ୍ରାମାଗାର ନିର୍ମାଣର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ରାଜସୁନାଖଳା ବସ୍ଷ୍ଟାଣ୍ତ୍ ସମସ୍ୟା ସୁଧୁରିବ କେବେ?
/sambad/media/post_attachments/wp-content/uploads/2018/12/khurda6-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)