ଖୋର୍ଧା : ଖୋର୍ଦ୍ଧା ସହରରେ ପୁଣି ମାତିଛନ୍ତି କଳା ପଲ୍‌ସର ଲୁଟେରା। ଆଜି ଦ୍ବିପ୍ରହରରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଭର୍ତି ବ୍ୟାଗ୍ ଲୁଟ୍‌ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ଟାଙ୍ଗି ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁର ଅବସରପ୍ରାପ୍ତ ଚକ୍ଷୁ ସହାୟକ ରମାକାନ୍ତ ନାଥ (୬୨) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଖୋର୍ଦ୍ଧା ମୁଖ୍ୟ ଶାଖାରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତୋଟାପଡ଼ା ଛକ ନିକଟରେ ଏକ କଳା ପଲ୍‌ସର୍‌ ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କୁ ପଛରୁ ଆସି ଧକ୍କା ମାରିଥିଲେ। ରମାକାନ୍ତ ଅନ୍ୟମନସ୍କ ହୋଇଯିବା ସମୟରେ ବେକରେ ଲମ୍ବିଥିବା ଟଙ୍କା ଭର୍ତି ବ୍ୟାଗ୍‌ଟିକୁ ସେମାନେ ଝାମ୍ପି ନେଇଥିଲେ। ବ୍ୟାଗ୍‌ଟିକୁ ଛଡ଼ାଇନେବା ପରେ ଜଙ୍କିଆ ରୋଡ୍ ପଟକୁ ଦ୍ରୁତଗତିରେ ଚାଲିଯାଇଥିଲେ ବୋଲି ରମାକାନ୍ତ କହିଛନ୍ତି। ଉଭୟ ଦୁର୍ବୃତ୍ତ ହେଲ୍‌ମେଟ୍‌ ପିନ୍ଧିଥିବା ହେତୁ ତାଙ୍କୁ ଲୋକେ ଚିହ୍ନି ପାରିନଥିଲେ। ତେବେ ସେମାନଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ରମାକାନ୍ତ ଏ ନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଏସ୍‌ଡିପିଓ, ଥାନା ଆଇଆଇସି ବ୍ୟାଙ୍କ ଓ ଲୁଟ୍ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରି ଫେରିଛନ୍ତି। ଘଟଣା ସଂପର୍କରେ ଟାଉନ୍ ଥାନା ସହ ଯୋଗାଯୋଗ କରିବାରେ ଅଭିଯୋଗକାରୀ ଟଙ୍କା ସହ ବ୍ୟାଙ୍କ୍ ଚେକ୍‌ ଓ ଖାତା ମଧ୍ୟ ନେଇଯାଇଥିବା ଏବଂ ଏନେଇ ତଦନ୍ତ ଜାରି ରହିଥିବା କହିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଓସିସି ଛକଠାରେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ଏଯାବତ ପୁଲିସ୍‌ ପାଇଁ ଅସମାହିତ ରହିଥିବା ବେଳେ ବର୍ତମାନର ଲୁଟ୍‌ ପୁଣି ଖୋର୍ଦ୍ଧା ପୁଲିସ୍‌ ପାଇଁନେୂଆ ଆହ୍ବାନ ହୋଇଛି।