ଭୁବନେଶ୍ଵର: ରାଜଧାନୀ ମହାବିଦ୍ୟାଳୟର ସ୍ନାତକୋତ୍ତର-ସଂସ୍କୃତବିଭାଗ ପକ୍ଷରୁ “ବିଶ୍ଵ ସଂସ୍କୃତ ଦିବସ ମହୋତ୍ସବ- ୨୦୨୪” ଉପଲକ୍ଷେ ଏକଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ଵାରା ଦୀପପ୍ରଜ୍ଜ୍ଵଳନ ସହିତ ବୈଦିକ ମଙ୍ଗଳାଚରଣ ଗାନ କରାଯାଇଥିଲା | ଏହା ପରେ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା | 

Advertisment

ତା’ପରେ ବିଭାଗୀୟ ଛାତ୍ର-ଛାତ୍ରୀମାନେ ସ୍ଵାଗତ-ଗୀତ ଏବଂ ନୃତ୍ୟ ପରିବେଷଣ କରିଥିଲେ | ‘ନୂତନ ଶିକ୍ଷାନୀତିରେ ସଂସ୍କୃତର ଭୂମିକା’ ବିଷୟରେ ନିମନ୍ତ୍ରିତ ଅତିଥିବୃନ୍ଦ ସ୍ଵକୀୟ ଅଭିଭାଷଣ ପ୍ରଦାନ କରିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ର. ଶ୍ରୀମତୀ ମିନତି ମିଶ୍ରଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ମାନବୀୟ ମୂଲ୍ୟବୋଧର ବିକାଶ ପାଇଁ ତଥା ସମାଜକୁ ଶୃଙ୍ଖଳିତ, ସୁବ୍ୟବସ୍ଥିତ ଓ ସୁସଂସ୍କୃତ କରିବା ନିମନ୍ତେ ସଂସ୍କୃତଜ୍ଞାନର ନିତାନ୍ତ ଆବଶ୍ୟକତା ରହିଛି ବୋଲି ସେ ଉଦବୋଧନ ଦେଇଥିଲେ |

sanskrit

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଡ.ରାଜେନ୍ଦ୍ରପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ତଥା ମହର୍ଷି ସାନ୍ଦୀପନୀ ବେଦବିଦ୍ୟା ପ୍ରତିଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର | ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ସଂସ୍କୃତ ବର୍ତ୍ତମାନର ଶିକ୍ଷାନୀତିରେ ଏକ ମହତ୍ତ୍ଵପୂର୍ଣ୍ଣ ବିଷୟ, ଯାହାକି ବିଦ୍ୟାଳୟ ସ୍ତରରୁ ଉଚ୍ଚ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପରିବ୍ୟାପ୍ତ | ବୈଦିକଯୁଗରୁ ଆଧୁନିକଯୁଗ ପର୍ଯ୍ୟନ୍ତ ସଂସ୍କୃତ ଭାରତର ପ୍ରାଣତତ୍ତ୍ଵ ଭାବେ ସର୍ବସ୍ଵୀକୃତ | 

ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ସାହିତ୍ୟିକ, କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ,  ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ତିରୁପତି ଏବଂ କିସ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ପ୍ରାକ୍ତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ | ତାଙ୍କ ବକ୍ତବ୍ୟରେ ସେ ନୂତନ ଶିକ୍ଷାନୀତିରେ ସଂସ୍କୃତର ଭୂମିକା ଅତ୍ୟନ୍ତ ମର୍ଯ୍ୟାଦାସମ୍ପନ୍ନ ବୋଲି ବିଶଦ ଆଲୋଚନା କରିଥିଲେ | ସେ ସମ୍ପ୍ରତିକ ସମାଜରେ ସଂସ୍କୃତର  ଚିରନ୍ତନ ମୂଲ୍ୟବୋଧ ଉପରେ ଗୁରୁତ୍ତ୍ଵାରୋପ କରିଥିଲେ |

ସମ୍ମାନିତ ବକ୍ତା ଭାବରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ, ଆଧୁନିକ ସଂସ୍କୃତ ସାହିତ୍ୟର ବିଶିଷ୍ଟ ଗୀତିକବି, ସାହିତ୍ୟିକ ଏଵଂ ଗବେଷକ ପ୍ରଫେସର ଡ. ହରେକୃଷ୍ଣ ମେହେର ଅଂଶଗ୍ରହଣ କରିଥିଲେ | ସେ ତାଙ୍କ ଅଭିଭାଷଣରେ ବୈଦିକ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ସଂସ୍କୃତ ଭାଷା ଓ ସାହିତ୍ୟର ଗୌରବମୟ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରି କହିଥିଲେ | ଆଧୁନିକ ସଂସ୍କୃତ ସାହିତ୍ୟ ଓ ଶିକ୍ଷାନୀତିରେ ସଂସ୍କୃତର ବିଶେଷତ୍ତ୍ଵ ବିଷୟରେ ସେ ଆଲୋକପାତ କରିଥିଲେ | 

ସମ୍ମାନିତ ଅତିଥି ରୂପରେ ପୁରୀସ୍ଥିତ ଶ୍ରୀଚୈତନ୍ୟ ଆଶ୍ରମର ସଚିବ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଶ୍ରୀଭକ୍ତିବଲ୍ଲଭାଚାର୍ଯ୍ୟ ମହାରାଜ ଯୋଗଦାନ କରିଥିଲେ | ସେ ଭାଗବତ, ଗୀତା ପ୍ରଭୃତି ଗ୍ରନ୍ଥରେ ବର୍ଣ୍ଣିତ ଭାରତୀୟ ସଂସ୍କୃତି ଓ ସଂସ୍କୃତର ମହନୀୟତା ସହିତ ସାମ୍ପ୍ରତିକ ଶିକ୍ଷାନୀତିରେ ସଂସ୍କୃତର ମହତ୍ତ୍ଵ ସମ୍ବନ୍ଧରେ ମତ ଉପସ୍ଥାପିତ କରିଥିଲେ | କାର୍ଯ୍ୟକ୍ରମର ଆବାହକ ତଥା ସଂସ୍କୃତବିଭାଗର ମୁଖ୍ୟ ଡ. ସୁରେଶ୍ଵର ମେହେର ସ୍ଵାଗତଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ |

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଭାଗର ପ୍ରାଧ୍ୟାପକ ଡ. ବିଭୂତିଭୂଷଣ ମହାପାତ୍ର | ଶେଷରେ ଅଧ୍ୟାପକ ଶ୍ରୀଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ | ବିଭାଗର ଅନ୍ୟ ଅଧ୍ୟାପିକା ଶକୁନ୍ତଳା ସ୍ଵାଇଁ ଓ ଶ୍ରାବଣୀ ମହାରଣା କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | ଏହି ସଭାରେ ସଂସ୍କୃତବିଭାଗର ଛାତ୍ରଛାତ୍ରୀ ସମେତ ଅନ୍ୟ ବିଭାଗମାନଙ୍କରୁ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ଅଧ୍ୟାପକ ତଥା ସଂସ୍କୃତାନୁରାଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ |