ଖୋର୍ଦ୍ଧା: ମାଟି, ପଥର କି କାଠ ନୁହେଁ, ସାବୁନରେ ସୁନ୍ଦର କଳାକୃତି ସୃଷ୍ଟି କରୁଛନ୍ତି ସତ୍ୟବ୍ରତ । ତାଙ୍କ ହାତରେ ଅଛି କିମିଆ କଲା ଭଳି ପାରଦର୍ଶିତା। ଖୋର୍ଦ୍ଧା ଜିଲ୍ଲା଼ ବାଘମାରୀ ଗାଁର ସତ୍ୟବ୍ରତ ଗଢ଼ୁଛନ୍ତି ମନଲୋଭା ମୂର୍ତ୍ତି । ସାବୁନ ଖଣ୍ଡେ ପାଇଲେ ସେ ବସିଯାଆନ୍ତି ଚାଳ ଛପର ଘରର ମାଟି ପିଣ୍ଡାରେ । ଘଣ୍ଟା ଘଣ୍ଟା ପରିଶ୍ରମ କରି ସେ ସାବୁନ ଖଣ୍ଡକୁ ଦିଅନ୍ତି ଜୀବନ୍ୟାସ। ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ିବସନ୍ତି ସତ୍ୟବ୍ରତ । ହେଲେ ଆର୍ଥିକ ଅନାଟନ ତାଙ୍କ କଳାର ବିକାଶ ରାସ୍ତାରେ କଣ୍ଟା ସାଜୁଛି । ସରକାରୀ ପ୍ରୋତ୍ସାହନର ଅଭାବରେ ବଣମଲ୍ଲୀ ବଣରେ ଫୁଟି ବଣରେ ମଉଳି ଯିବାକୁ ବସିଛି ।
ବାଘମାରୀ ଗାଁର ସତ୍ୟବ୍ରତ । ବାପା ପର ଦୁଆରେ ମୂଳ ଲାଗନ୍ତି । ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ । ଚାଳଛପର ଘର ଦେଇ ଉଙ୍କି ମାରୁଛି ସୂର୍ଯ୍ୟ । ଅର୍ଥ ଅଭାବରୁ ମାଟ୍ରିକ ପରେ ପାଠପଢ଼ା ଡ଼ୋର ବନ୍ଧା ହୋଇଥିଲା । ପିଲାବେଳୁ ସତ୍ୟବ୍ରତଙ୍କର କଳା ପ୍ରତି ବେଶ୍ ଦୁର୍ବଳତା । ତାଙ୍କ ହାତରେ ଯେପରି ଯାଦୁ ଅଛି । ମାଟି କି କାଠରେ ନୁହେଁ, ସାବୁନରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ତିଆରି କରିଚାଲିଛନ୍ତି । ଅତି ସୁନ୍ଦର ଭାବେ ଗଣେଶ, ଶିବ, ରାଧାକୃଷ୍ଣ ଓ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଗଢ଼ିପାରୁଛନ୍ତି । ଦିନ ଦିନ ପରିଶ୍ରମ କଲେ ଗୋଟିଏ ସାବୁନ ମୂର୍ତ୍ତି ପାଇଁ ତାଙ୍କୁ ୧୦୦ରୁ ୧୫୦ ଟଙ୍କା ମିଳେ । ଘର ସଜାଇବା ପାଇଁ ଲୋକେ ସାବୁନ ମୂର୍ତ୍ତି କିଣିନେଇ ଯାଉଥିଲେ ହେଁ ତାଙ୍କୁ ଉଚିତ ପାରିଶ୍ରମିକ ମିଳିପାରୁ ନାହିଁ ।
ପେଟ ପୋଷିବା ପାଇଁ କଳା ଦ୍ୱାରା ଅର୍ଜିତ ଟଙ୍କା ନିଅଣ୍ଟ ହେଉଥିଲେ ହେଁ କଳାକୁ ବଂଚାଇ ରଖିଛନ୍ତି । ଭଙ୍ଗା ଦୂଆରେ କଳାକୁ ବଂଚାଇ ରଖିବା ପାଇଁ ଅବିରାମ ପ୍ରୟାସ କରୁଛନ୍ତି ସତ୍ୟବ୍ରତ । ମୂର୍ତ୍ତିଗୁଡ଼ିକୁ ରଖିବାକୁ ଘରେ ଜାଗା ନାହିଁ । ବର୍ଷା ହେଲେ ସବୁ ଓଦା ହୋଇ ନଷ୍ଟ ହୋଇଯାଉଛି । ସରକାରୀ ପ୍ରୋତ୍ସାହନର ଅଭାବ ଯେ ତାଙ୍କ ଇଚ୍ଛାଶକ୍ତିକୁ ଦୁର୍ବଳ କରିନଦେବ ଏକଥାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ । ତାଙ୍କ କଳା ଗାଁରେ ସୀମିତ ନରହି ସହରକୁ ଗଲେ ଆଦୃତ ହୋଇପାରନ୍ତା ସେ ବୋଲି ପ୍ରକାଶ କରିଛନ୍ତି । ଏଯାଏଁ ସତ୍ୟବ୍ରତଙ୍କ କଳାର ବିକାଶ ପାଇଁ କିଛି ସହାୟତା ପାଇ ନାହାନ୍ତି ।