ଖୋର୍ଦ୍ଧା: ସ୍କୁଲ ସ୍ଥାନାନ୍ତରକୁ ନେଇ ଶବର ସାହି ବାସିନ୍ଦାଙ୍କ ବିରୋଧ

ଖୋର୍ଦ୍ଧା: ଯେଉଁ ସ୍କୁଲର ଉପସ୍ଥାନ ୨୫ରୁ କମ୍ ରହିଛି ସେହି ସ୍କୁଲକୁ ନିକଟସ୍ଥ ସ୍କୁଲରେ ସମିଶ୍ରଣ କରିବା ଯୋଜନାରେ ଖୋର୍ଦ୍ଧା ୱାର୍ଡ ନମ୍ବର ୩ରେ ଥିବା ବଧା-ଶବରସାହିର ଏକ ପ୍ରାଥମିକ ସ୍କୁଲର ସ୍ଥାନାନ୍ତର ନେଇ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଏ ନେଇ ଆଜି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଆଜି ପୂର୍ବାହ୍ଣ ୧୧ଟାରେ ବଧା-ଶବର ସାହିର ପ୍ରାୟ ୩୦-୪୦ ବାସିନ୍ଦା ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଶବର ସାହିର ବାସିନ୍ଦା ଗଗନ ନାୟକଙ୍କ କହିବାନୁସାରେ, ୨୦୧୯-୨୦ ଶିକ୍ଷା ବର୍ଷରେ ସ୍କୁଲର ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ୨୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । କିନ୍ତୁ ସେହିବର୍ଷ ଛାତ୍ର ଉପସ୍ଥାନ କମ୍ ଦେଖାଇ ପ୍ରାୟ ୩ କିମି ଦୂର ଜାତୀୟ ରାଜପଥ ଅପରପାଶ୍ୱର୍ରେ ଥିବା ଜେମାଦେଈ ସ୍କୁଲରେ ଏହାକୁ ସମିଶ୍ରଣ କରାଗଲା । ଶବର ସାହିରରେ ପ୍ରାୟ ସମସ୍ତ ଲୋକ ଗରିବ ଓ ମଜୁରିଆ ଶ୍ରେଣୀର । ନିଜ ଘର ଠାରୁ ଦୂର ଓ ଜାତୀୟ ରାଜପଥ ଡେଇଁ ଯିବା ଛୋଟ ପିଲାଙ୍କ ପାଇଁ ବିପଦ ଥିବାରୁ ସ୍କୁଲକୁ ପୁନଃ ଚାଲୁ କରିବାକୁ ଦାବି କରୁଛୁ ।

ଅନ୍ୟ ଜଣେ ବାସିନ୍ଦା ସନାତନ ପ୍ରଧାନ କହିଛନ୍ତି ଯେ ଏହି ସ୍କୁଲ ସ୍ଥାନାନ୍ତର ଦ୍ୱାରା ଛୋଟ ପିଲାମାନେ ପାଠ ପଢ଼ିବା ପ୍ରତି ଆଗ୍ରହ ଦେଖାଇବେ ନାହିଁ । ଘର ପାଖରେ ସ୍କୁଲ ଥିବା ଦ୍ୱାରା ବାପା-ମା’ଙ୍କ ଭୟରେ ପିଲା ସ୍କୁଲ ଯାଉଥିଲେ । ଏବେ ବାପା-ମା ଏତେ ଦୂର ସ୍କୁଲକୁ ଛାଡ଼ିବାକୁ ଭୟ କରୁଛନ୍ତି । ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପଦ୍ମ ଚରଣ ରାୟ, ଛାତ୍ର କଂଗ୍ରେସ ସଭାପତି ପ୍ଲାବନ ପଟ୍ଟନାୟକ, ଆଇନଜୀବୀ ଶିଶିର ପରିଡ଼ା, ମାନଗୋବିନ୍ଦ ସାହୁ, ଅନ୍ନପୂର୍ଣ୍ଣା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର