ଖୋର୍ଦ୍ଧା: ବରୁଣେଇ ପୀଠର ନିଛାଟିଆ ଆମ୍ବ ଗଛ ପିଣ୍ଡିରେ ଡକାୟତ ପାଇଁ ସୋମବାର ବିଳମ୍ବିତ ରାତିରେ ଯୋଜନା ପ୍ରସ୍ତୁତ କରୁଥିବା ଖୋର୍ଦ୍ଧା ପୁଲିସ ଅତର୍କିତ ଭାବରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୁଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ୫ଜଣ ଡକାୟତ ବାଇକ୍ରେ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପଲ୍ଲା ଗ୍ରାମର ସ୍ୱର୍ଗତ ମନୋଜ ଦାସଙ୍କୁ ପୁଅ ସମ୍ପଦ ଦାସ ଓରଫ ପିଙ୍କୁ(୨୩), ଲୋକେଶ୍ୱରପୁର ଗାଁର ଦେବାଶିଷ ପଟ୍ଟନାୟକଙ୍କ ପୁଅ ସ୍ୱାଗତ ପଟ୍ଟନାୟକ ଓରଫ ଗୁଡୁ(୨୩), ଗଡ଼ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀର ବସ୍ତନ କୁମାର ନାୟକଙ୍କ ପୁଅ ଚନ୍ଦନ ନାୟକ ଓରଫ ବାଲୁଆ(୨୨), ସାମନ୍ତରାପୁର ଗାଁର ଶ୍ରୀକାନ୍ତ ପରମଗୁରୁ ଓରଫ ଟୁଲୁ, ତାଳବସ୍ତ ଗାଁର ପତିତପାବନ ଦଳବେହେରାଙ୍କ ପୁଅ ଆଲୋକ ଦଳବେହେରା(୨୨) ଓ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ପଦନପୁର ଗାଁର ସ୍ୱର୍ଗତ ରାମଚନ୍ଦ୍ର ସାହୁଙ୍କ ପୁଅ ଅବନୀ କୁମାର ସାହୁ(୪୪)କୁ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ଗୋଟିଏ ଭୁଜାଲି, ଦୁଇଟି କଟୁରି, ଗୋଟିଏ ଲୁହା ରଡ଼ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି।
ସମ୍ପଦ ଓ ବାଲୁଆକୁ ପେଶାଦାର ଅପରାଧୀବୋଲି ପୁଲିସ ମଙ୍ଗଳବାର ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ଦୀପ୍ତିରଞ୍ଜନ ରାୟ କହିଛନ୍ତି, ଏମାନେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧୀକ ଘଟଣାରେ ସଂପୃକ୍ତ ଅଛନ୍ତି। ସମ୍ମିଳନୀରେ ଟାଉନ୍ଥାନା ଆଇଆଇସି ରଞ୍ଜିତ ସାହୁ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2018/02/khordha2-300x225.jpg)
ପୁଲିିସ କହିଛି, ଏହି ଅପରାଧୀମାନେ ଭୁବନେଶ୍ୱର-ବାଲୁଗାଁ ମଧ୍ୟରେ ଥିବା ଜାତୀୟ ରାଜପଥରେ ରାହାଜାନି କରିଛନ୍ତି। ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ସାମନ୍ତରାପୁର ଅନିତା ପରମଗୁରୁର ଘର ତଲାସି ନେବାରେ ତା ଠାରୁ ପ୍ରାୟ ୨୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି। ଏତଦ୍ ବ୍ୟତୀତ ତାଙ୍କ ଠାରୁ ସୁନା ଚେନ, ସୁନା ନେକଲେସ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ ହୋଇଛି। ସେହିପରି ମୁଦାଲା ବୁଲୁ ଓରଫ ଆଲୋକ ଦଳବେହେରାଙ୍କ ସ୍ୱିକାରୋକ୍ତିକୁ ଆଧାର କରି ଅବନୀ ସାହୁଙ୍କ ଠାରୁ ୭ ଗୋଟି ସୁନା ଚେନ ମଧ୍ୟ ଜବତ କରାଯାଇଛି। ଏଯାବତ୍ ସମୁଦାୟ ୧୫ ଗୋଟି ସୁନାଚେନ୍ ସହିତ ଅନ୍ୟାନ୍ୟ ସୁନା ଅଳଙ୍କାର ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/khordha1.jpg)
