ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପିନେଲେ ସୁନାଚେନ୍‌

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ‌ପୁରୀ ମୁଖ୍ୟ କେନାଲସ୍ଥିତ ଭଗବତୀ ଫିଲିଂ ଷ୍ଟେସନରେ ଆଜି ମଧ୍ୟାହ୍ନରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୁତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ଲୁଟର ଶିକାର ମହିଳା ବାଲିପାଟଣା ଥାନା ଅଧୀନ ନବାଟି ଗ୍ରାମର ଅନୁପମା ମହାପାତ୍ର (୬୦)। ଏନେଇ ଅନୁପମା ଉକ୍ତ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି। ଅନୁପମାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କୁ କାବୁ କରିପାରି ନାହିଁ। ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିବା ସହ ଲୁଟେରାଙ୍କ ଗତିବିଧି ପରଖି ଥିଲା। ହେଲେ ଏହା ମଧ୍ୟରେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କୁ କାବୁ କରିପାରି ନାହିଁ। ପ୍ରାପ୍ତ ସୂଚନା ମୁତାବକ ବାଲିପାଟଣା ଥାନା ନବାଟି ଗ୍ରାମର ସ୍ବର୍ଗତ ବୈରାଗୀ ମହାପାତ୍ରଙ୍କ ପତ୍ନୀ ଅନୁପମା ପୂର୍ବାହ୍ନରେ ସ୍ବାମୀଙ୍କ ପେନ୍ସ‌ନ୍‌ ଟଙ୍କା ଆଣିବା ପାଇଁ ତାଙ୍କ ସାନପୁଅ ସହ ଭୁବନେଶ୍ବର ରିଜର୍ବ ବ୍ୟାଙ୍କକୁ ଯାଉଥିଲେ।

ପେଟ୍ରୋଲ ପକାଇବା ପାଇଁ ବାଳକାଟି ପୁରୀ କେନାଲ ଗଡ଼ା ରାସ୍ତାରୁ ଗଡ଼ି ମାତ୍ର କିଛି ମିଟର ଦୂରରେ ଥିବା ଟାଙ୍କିକୁ ଯାଇଥିଲେ। ଅନୁପମା ବାଇକରୁ ଓହ୍ଲାଇ ପେଟ୍ରୋଲ ଟାଙ୍କି ନିକଟରେ ଛିଡ଼ା ହୋଇଥିବା ବେଳେ ଅକ୍ଷୟ ତେଲ ପକାଇବାକୁ ଲାଇନରେ ଠିଆ ହୋଇଥିଲେ। ଠିକ ସେହି ସମୟରେ ରାସ୍ତା ଆର ପାର୍ଶ୍ବରେ ଏକ ବାଇକ ପଛରେ ମୁହଁରେ ହେଲମେଟ ପିନ୍ଧି ବସିଥିବା ଜଣେ ଯୁବକ ଓହ୍ଲାଇ ଅନୁପମାଙ୍କ ନିକଟରେ ପହଞ୍ଚିଥିଲା। ଆଉ ଅନୁପମା କିଛି ବୁଝିବା ପୂର୍ବରୁ ତାଙ୍କ ବେକରୁ ଦେଢ଼ ଭରି ଓଜନର ସୁନା ଚେନ୍‌ ଝାମ୍ପି ନେଇ ଆଖି ପିଛୁଳାକେ ଗାଡ଼ି ଷ୍ଟାର୍ଟ କରି ଅପେକ୍ଷା କରିଥିବା ଅନ୍ୟ ସହଯୋଗୀ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ଲୁଟ ପରେ ସେମାନେ ବେଧଡ଼କ ଭାବେ ଫାଣ୍ଡି ରାସ୍ତା ଦେଇ ଟଙ୍କପାଣି ବ୍ରିଜ ଅଭିମୁଖେ ପଳାଇଥିବା ସୂଚନା ମିଳିଛି। ଅନୁପମା ଚୋର ଚୋର ବୋଲି ଚିତ୍କାର କରିବାରୁ ଜଣେ ଅଟୋ ଚାଳକ ରାସ୍ତାରେ ଅଟୋ ରଖି ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ବିପରୀତ ଦିଗରୁ ଏକ କାର ପଶି ଆଶିବାର ସୁଯୋଗ ନେଇ ଫାଙ୍କାରେ ଫେରାର ହୋଇଯାଇଥିଲେ। ବଡ଼ କଥା ହେଉଛି ଫାଣ୍ଡି ଠାରୁ ମାତ୍ର ଅଳ୍ପ ଦୂରରେ ଘଟଣା ଘଟିଥିବା ବେଳେ ଏବଂ ସେହି ରାସ୍ତାରେ ପଳାଇଥିବା ବେଳେ ପୁଲିସ ଜାଣିପାରିନଥିଲା। ପୁଲିସ ସିସି କ୍ୟାମେରା ଫୁଟେଜ ଆଧାରରେ ଲୁଟେରାଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର