ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ସ୍ୱେଚ୍ଛାସେବୀ ସଂଗଠନ

ଭୁବନେଶ୍ୱର: ଇନ୍ଫୋସିସ୍ ଫାଉଣ୍ଡେସନ ଓ ଆକାଙ୍କଶା (ସି.ଏସ୍.ଆର୍ ଉଇଙ୍ଗ୍)ର ସହାୟତାରେ ସୋଚ୍ ତରଫରୁ ଭୁବନେଶ୍ବରର ବସ୍ତି ଯଥା ଲକ୍ଷ୍ମୀସାଗର ଉପର ସାହି, ଜଟଣୀ ବ୍ଲକ ଅନ୍ତର୍ଗତ ଗ୍ରାମ ଓ ଖୋର୍ଦ୍ଧା ଷ୍ଟେସନରେ ବିଭିନ୍ନ ସମୁଦାୟର ଲୋକ ଯଥା ଦିନ ମଜୁରିଆ, ଅଟୋ ଡ୍ରାଇଭର, ବୟସ୍କ ବ୍ୟକ୍ତି, ବିଧବା ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଶିଶୁ, କରୋନା ଭୂତାଣୁ ସଂକ୍ରମିତ ପରିବାର ଏବଂ ଗୁପ୍ ଚୁପ୍ ବେପାରୀ ମାନଙ୍କୁ ୧୬୫ ପ୍ୟାକେଟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନରେ ପ୍ରତିଷ୍ଠାତା ମନୋଜ କୁମାର ସ୍ଵାଇଁ, ଇନ୍ଫୋସିସ୍ ଫାଉଣ୍ଡେସନର ସିନିୟର୍ ମାନେଜର୍ଦୀ ପଙ୍କର ରଥ, ରେଲୱେ ପୁଲିସ ଫୋର୍ସ (ଆରପିଏଫ୍‌)ର ଆଇ.ଆଇ.ସି ବିଦ୍ୟାଧର ବାରିକ୍ ଏବଂ ସରକାରୀ ରେଲୱେ ପୁଲିସ (ଜିଆରପି)ର ଓ.ଆଇ.ସି ଧରଣୀଧର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭାଗ୍ୟବତୀ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୂଚାରୁରୂପେ ପରିଚାଳନା ହୋଇଥିଲା।

ସୂଚନାଯୋଗ୍ୟ, କରୋନାର ଦ୍ଵିତୀୟ ଲହର କାଳରେ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ବହୁତ ଗରିବ ଏବଂ ଅସହାୟ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୋସାଇଟୀ ଫର ଚିଲଡ୍ରେନ୍ (ସୋଚ୍) ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଦୀର୍ଘ ୯ ବର୍ଷ ଧରି ସୋଚ୍ ନିରବଚ୍ଛିନ୍ନ ଭାବେ ବିଭିନ୍ନ ବିଭାଗ ମାଧ୍ୟମରେ ନିଜର ସେବା ଯୋଗାଇ ଆସୁଛି। ବିଶେଷକରି ଅସହାୟ ପିଲାମାନଙ୍କ ସଂପୂର୍ଣ୍ଣ ଉନ୍ନତି ପାଇଁ ଏହି ଅନୁଷ୍ଠାନ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର