ପ୍ରବାସୀ ଶ୍ରମିଙ୍କ ୩ ମୋବାଇଲ ଏବଂ ଟଙ୍କା ଚୋରି 

ବାଲିପାଟଣା : ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଡ଼କାୟତି ବଢ଼ି ଚାଲିଛି । ଚୋରି କରି ଚୋର ଗାଏବ ହୋଇଯାଉଛନ୍ତି । ହେଲେ ପୁଲିସ ଚୋର ମାନଙ୍କ ଟେର ପାଉନାହିଁ । କାଁଭାଁ ଘଟଣାକୁ ଛାଡି ଦେଲେ,ମାଳମାଳ ଚୋରି ଘଟଣାର ପର୍ଦାଫାଶ ହୋଇପାରୁ ନାହିଁ । ଏହି ଥାନା ପମ୍ପାଲୋ ପଞ୍ଚାୟତ ଚଣାହାଟ ପଟ୍ଟନାୟକ ସାହିରେ ରହୁଥିବା ପ୍ରବାସୀ ଶ୍ରମିକ ମାନେ ସୋମବାର ରାତିରେ ଚୋରିର ଶିକାର ହୋଇଛନ୍ତି । ସେମାନେ ରହୁଥିବା ରୁମରୁ ୩ ଟି ମୋବାଇଲ ଏବଂ ୮ ହଜାରରୁ ଉର୍ଦ୍ଧ ଟଙ୍କା ଚୋର ନେଇ ଚମ୍ପଟ ମାରିଛି । ଏ ନେଇ ସାବିର ସଫି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଚଣାହାଟ ପଟ୍ଟନାୟକ ସାହି ଗ୍ରାମର କାହ୍ନା ପଟ୍ଟନାୟକଙ୍କ ନିର୍ମାଣ କାର୍ଯ୍ୟ ଲାଗି ଉତ୍ତର ପ୍ରଦେଶ ଆଲ୍ଲୀଗଡ଼ ଜିଲ୍ଲା ଛେରା ଅଞ୍ଚଳରୁ ଶ୍ରମିକ ମାନେ ଆସିଛନ୍ତି । ସେହି ଗାଁରେ ତାଙ୍କ ଘରେ ରହୁଛନ୍ତି । ଗତକାଲି ରାତିରେ ସେମାନେ ମୋବାଇଲ ଚାର୍ଜରେ ବସାଇ ଶୋଇଯାଇଥିଲେ । ରୁମ ଭିତରୁ ୩ ଟି ଦାମୀ ମୋବାଇଲ ଏବଂ ୮ ହଜାର ୯ ଶହ ଟଙ୍କା ଚୋରି ହୋଇଛି । ସାବିର ଗତକାଲି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଶ୍ରମିକ ମାନେ ଥାନାରେ ଜଣାଇବାରୁ ୪ ଜଣ ଅଜଣା ଯୁବକ ସେମାନଙ୍କୁ ଧମକଚମକ ଦେଇଯାଛନ୍ତି | ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଫେରିଛି । ୨୪ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ପୁଲିସ ଚୋରଙ୍କ ସୁରାଗ ପାଉନାହିଁ । ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ତଦନ୍ତ ଜାରି ରହିଥିବା କହିଛନ୍ତି । ପ୍ରବାସି ଶ୍ରମିକ ମାନଙ୍କ ସୁରକ୍ଷା, ଚୋରି ଘଟଣାର ପର୍ଦାଫାଶ ଏବଂ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର