ଭୁବନେଶ୍ବର: ସ୍ବପ୍ନ ! ଆଖିରେ ଦେଖାଯାଏ କିନ୍ତୁ କର୍ମ ଓ ଶ୍ରମରେ ସତ ହୁଏ । ସ୍ବପ୍ନ ତ ସମସ୍ତେ ଦେଖନ୍ତି କିନ୍ତୁ ସେ ସ୍ବପ୍ନକୁ ପୂରଣ ଖୁବ୍ କମ୍ ମଣିଷ କରନ୍ତି । ମାତ୍ର ସେ ସ୍ବପ୍ନକୁ ସତ କରିବାକୁ ଯେବେ ନିଷ୍ଠାର ସହ ପରିଶ୍ରମ କରାଯାଏ ତେବେ ସେହି ଶ୍ରମ ଆଗରେ ସମୟ ବି ନତ ମସ୍ତକ ହୋଇ ସଫଳତାକୁ ହାତ ପାହାନ୍ତାରେ ଆଣି ଧରାଇଦିଏ… ହଁ ! ସ୍ବପ୍ନ ପଛରେ ସଂଘର୍ଷ ଅନେକ ଥାଏ… ଗରିବି, ଅଭାବ ବି ସ୍ବପ୍ନକୁ ସତ କରିବାକୁ ଆହୁରି ଶକ୍ତି ଯୋଗାଏ… ଯାହାର ବଡ଼ ଉଦାହରଣ ଆସିଛି ଖୋର୍ଦ୍ଧା ବାଣପୁର ମୁଦୁଲିଡିହ ଗାଁରୁ…
ଶୁଭମ୍ ଶବର ! ୧୯ ବର୍ଷୀୟ ଆଦିବାସୀ ଛାତ୍ର । ଗରିବ ଘରେ ଜନ୍ମ ହୋଇଥିବା ଜଣେ ମେଧାବୀ ଛାତ୍ର ହେଉଛନ୍ତି ଶୁଭମ୍ । ଯିଏ ପ୍ରଥମେ ନିଜ ଗ୍ରାମର ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଯୁକ୍ତ ଦୁଇ ପଢ଼ିବା ପାଇଁ ଭୁବନେଶ୍ବରକୁ ଆସିଥିଲେ । ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତଦୁଇ ପାଠ ପଢ଼ିଥିଲେ । ଯୁକ୍ତ ଦୁଇରେ ଭଲ ନମ୍ବର ବି ରଖି ପାସ୍ କରିଥିଲେ । ପ୍ଲସଟୁ ସରିବା ପରେ ଦୁଇଜଣ ଶିକ୍ଷକ ତାଙ୍କୁ MBBS କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ନିଟ୍ ପରୀକ୍ଷା କଣ ଶୁଭମ୍ ଜାଣିନଥିବାରୁ ସେ ଦ୍ବନ୍ଦ୍ବରେ ରହିଥିଲେ । ମାତ୍ର ସେମାନେ ତାଙ୍କୁ ଏଥିପାଇଁ ପ୍ରେରଣା ଦେଇଥିଲେ। ତା'ପରେ, ଶୁଭମ ବ୍ରହ୍ମପୁର ଯାଇ NEET ପରୀକ୍ଷା ପାଇଁ ଗୋଟିଏ ବର୍ଷ ପ୍ରସ୍ତୁତି କରିଥିଲେ। ଆଉ ପରୀକ୍ଷା ମଧ୍ଯ ଦେଇଥିଲେ । ପରୀକ୍ଷା ଦେବା ପରେ ଘରକୁ ଫେରି କିଛି ଦିନ ରହିବା ପରେ ଘରର ପରିସ୍ଥିତି ଓ ଭବିଷ୍ୟତର ପାଠପଢ଼ା ପାଇଁ ଟଙ୍କା ଦରକାର ଭାବି ସେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ବାହାରି ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଯେଉଁଠି ତାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳୁଥିଲା । ସେଠାରେ ରହିବା ଓ ଖାଇବା ବାବଦକୁ ୫ ହଜାର ଚାଲିଯାଉଥିବା ବେଳେ ନିଜ ପାଠପଢ଼ା ପାଇଁ କିଛି ଟଙ୍କା ନିଜ ପାଖରେ ରଖି ବଳକା ଟଙ୍କା ନିଜ ଘରକୁ ପଠାଉଥିଲେ ।
ତେବେ ଦିନେ ସେ କମ୍ପାନୀରେ କାମ କରୁଥିବା ବେଳେ ଉକ୍ତ ସାରଙ୍କ ଫୋନ୍ ଆସିଥିଲା । ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ- ସେ ନିଟ୍ ପରୀକ୍ଷାରେ ଭଲ ରାଙ୍କ୍ ରଖିବା ସହ ଏମକେସିଜି ମେଡିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ଜାଣିବା ପରେ ସେ ପ୍ରଥମେ ବିଶ୍ବାସ କରିପାରିନଥିଲେ । ସ୍ବପ୍ନ କେମିତି ଓ କେତେବେଳେ ସତ ହୋଇ ଆସେ ତାହା କେହି ପାରିବେନି ବୋଲି ଭାବି ଭାବପ୍ରବଣ ହୋଇଥିଲେ । ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଥିବା ବେଳେ ଏହି ଖୁସି ଖବର ନିଜ ପରିବାର ଲୋକଙ୍କୁ କହିବା ସହିତ ବ୍ରହ୍ମପୁରକୁ ଫେରି ଆସିଥିଲେ । ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ନାମ ଲେଖାଇଛନ୍ତି ଶୁଭମ । ବହୁ ବାଧାବିଘ୍ନରେ ମେଡିକାଲ ପାଠପଢ଼ିବା ନିମନ୍ତେ ନାମ ଲେଖାଇଥିବା ବେଳେ ଭବିଷ୍ୟତରେ ଡ଼ାକ୍ତର ହୋଇ ଗାଁରେ ରହିଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବି ବୋଲି କହିଛନ୍ତି ଶୁଭମ ।
ସଫଳତା ପାଇଁ ତାଙ୍କ ଶିକ୍ଷକ ଏବଂ ପିତାମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶୁଭମ୍। ତେବେ ପୁଅର ସଫଳତାରେ ଖୁସି ହୋଇ ମାଆ ରଙ୍ଗି ଶବର କହିଛନ୍ତି- ମୋ ପୁଅ ଶୁଭମ କଠିନ ପରିଶ୍ରମ କରିଛି ଏବଂ ଆମେ ଉଭୟ ବାପାମାଆ ମଧ୍ୟ ତା'ର ଉଚ୍ଚଶିକ୍ଷା ପାଇଁ କଠିନ ପରିଶ୍ରମ କରିଥିଲୁ । ଆମେ ତା'ର ପାଠପଢ଼ା ପାଇଁ ଋଣ କରିଥିଲୁ। ପୁଅର ବାପା ମୋତେ କହୁଥିଲେ ଯଦି ସେ ନିଟ୍ ପାସ୍ କରିପାରିବ ନାହିଁ ତେବେ ଆମେ କିପରି ଋଣ ପରିଶୋଧ କରିବୁ । କିନ୍ତୁ ମୁଁ ତାକୁ ଆଶ୍ୱାସନା ଦେଇଥିଲି ଯେ ସେ ନିଶ୍ଚିତ ଭାବରେ ପାସ୍ କରିବ କାରଣ ସେ ଜଣେ ମେଧାବୀ ଛାତ୍ର। ଆମେ ବହୁତ ଚିନ୍ତାରେ ଥିଲୁ । ଘରର ପରିସ୍ଥିତି ସଜାଡିବାକୁ ସେ ବେଙ୍ଗାଲୁରୁ ଯିବାକୁ ବାହାରିଥିଲା । ଆମେ ତାକୁ ବିରୋଧ କରୁଥିଲୁ କିନ୍ତୁ ସେ ଆମ କଥା ଶୁଣି ନଥିଲା । ମୁଁ ସରକାରଙ୍କୁ ମୋ ପୁଅକୁ ଡାକ୍ତରୀ ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲି ଏବଂ ମୁଁ ଇଚ୍ଛା କରୁଛି ଯେ ସେ ଡାକ୍ତର ହେବା ପରେ ଆମ ଆଦିବାସୀ ଗାଁର ଲୋକଙ୍କ ସେବା କରୁ ବୋଲି…