ବାଲୁଗାଁ : ବାଲୁଗାଁ ଚକ୍ରଧରପୁର ସାହିର ନାବାଳିକା କାଜଲ ସାହୁ (୧୭)ଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଏକ କାତିରେ ୧୩ଥର ଚୋଟ ମାରି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜି ବାଲୁଗାଁ ଥାନା ପୁଲିସ ଗିରଫ କରିଛି। ସେ ହେଲା, ସେହି ସାହିର ଆର୍. ଗୋପୀ। ଏନେଇ ଗତକାଲି ଥାନାରେ ରୁଜୁ ହୋଇଥିବା ମାମଲା ନଂ ୧୦/୧୮କୁ ଭିତ୍ତି କରି ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ବାରମ୍ବାର ପ୍ରେମ ନିବେଦନ ପରେ ମଧ୍ୟ କାଜଲ ରାଜି ନ ହେବାରୁ ତାକୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ଆର୍. ଗୋପୀ ପୁଲିସ ଆଗରେ ସ୍ୱୀକାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ଆଜି ଦିନ ପ୍ରାୟ ୩ଟାରେ କାଜଲର ଶବ ଗାଁରେ ପହଞ୍ଚିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କାଜଲଙ୍କ ପରିବାରକୁ ସରକାରୀ ସହାୟତା ଦାବିରେ ବାଲୁଗାଁବାସୀ ମିଳିତ ଭାବେ ରାସ୍ତାରୋକ କରିଥିଲେ। ତେବେ ପରିସ୍ଥିତି ଟିଳ ହେଉଥିବା ଖବର ପାଇ ଚିଲିକା ତହସିଲଦାର ପୃଥ୍ଵୀରାଜ ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ମୃତାଙ୍କ ପରିବାରକୁ ୧୦ ହଜାର ଟଙ୍କା ଦେଇଥିଲେ। ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, କାଜଲ ଗାଁ ନିକଟରେ ଥିବା ଏକ ବିଉଟି ପାର୍ଲରରେ କାମ କରନ୍ତି। ଗତ ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ ସେ କାମ ସାରି ଘରକୁ ଫେରୁଥିବା ବେଳେ ସେହି ସାହିର ଆର୍. ଗୋପୀ ତାଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲା। କିନ୍ତୁ ସବୁଥର ପରି କାଜଲ ତା’ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ ରାଗିଯାଇ ଏକ କାତିରେ କାଜଲର ପେଟ, ପିଠି, ଛାତି, ହାତ, ଗୋଡ଼କୁ ୧୩ଥର ଚୋଟ ମାରି ନିକଟସ୍ଥ ଏକ ନାଳରେ ଫିଙ୍ଗି ଦେଇଥିଲା। ସେହି ବାଟ ଦେଇ ଯାଉଥିବା କିଛି ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଚକ୍ରଧରପୁର ସାହିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକୁ ଆଖି ଆଗରେ ରଖି ଖୋର୍ଧା ଏସ୍ପି ଦୀପ୍ତିରଂଜନ ରାୟ, ବାଲୁଗାଁ ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ବାଲୁଗାଁ ବାଣପୁର, ଟାଙ୍ଗୀ ଓ ନିରାକାରପୁର ଥାନା ଅଧିକାରୀ ସଦଳବଳେ ବାଲୁଗାଁରେ ପହଞ୍ଚି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ କାଜଲର ରକ୍ତଲଗା ଲୁଗାପଟା ଏବଂ ଅଭିଯୁକ୍ତ ବ୍ୟବହାର କରିଥିବା କାତିକୁ ଜବତ କରିଥିଲା। ତେବେ ଏହି ଘଟଣାରେ ଆର୍.ଗୋପୀର ହାତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାକୁ ରାତାରାତି ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା।