ଅନାସ୍ଥା ଭୋଟରେ ହାରିଲେ ବାଲିପାଟଣା ବ୍ଲକ ଅଧ୍ୟକ୍ଷା

ବିଜେଡି ବିଧାୟକଙ୍କ ବିରୋଧରେ ସ୍ଲୋଗାନ୍ ଦେଲେ ଦଳୀୟ କର୍ମୀ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧ୍ୟକ୍ଷା ଅନାସ୍ଥା ଭୋଟରେ ହାରି ପଦ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କେବଳ ସରକାରୀ ଘୋଷଣା ବାକି ରହିଛି। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ପଞ୍ଚାୟତ ସମିତି ବୈଠକ ଗୃହରେ ଆୟୋଜିତ ଅନାସ୍ଥା ସପକ୍ଷରେ ୨୪ ଜଣ ନିର୍ବାଚିତ ପ୍ରତିନିଧି ଭୋଟ ଦେଇଛନ୍ତି।
ସୂଚନା ଅନୁସାରେ, ବ୍ଲକ ଅଧ୍ୟ୍ୟକ୍ଷା ମନୀଷା ଚୌଧୁରୀଙ୍କ ବିରୋଧରେ କିଛି ପ୍ରତିନିଧି ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପାଇଁ ଆବେଦନ କରିଥିଲେ। ଗତ ୧୭ ତାରିଖ ଅନାସ୍ଥା ଭୋଟ ପାଇଁ ପ୍ରଥମ ଦିନ ଧାର୍ଯ୍ୟ ହୋଇଥିଲା। ଏହି ଦିନ ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଭୋଟ ପ୍ରକ୍ରିୟା ସ୍ଥଗିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉପ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ୩୧ ତାରିଖ ଅନାସ୍ଥା ଭୋଟ ପାଇଁ ସ୍ଥିର ହୋଇଥିଲା।

ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ। ସାଢେ ୧୧ ଟାରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇ ପାଖାପାଖି ସାଢେ ୧୨ ଟାରେ ଶେଷ ହୋଇଥିଲା। ଅନାସ୍ଥା ସପକ୍ଷରେ ୧୦ ସରପଞ୍ଚ ଏବଂ ୧୪ ସମିତି ସଭ୍ୟ/ସଭ୍ୟା ଭୋଟ ଦେଇଥିଲେ। ଖଣ୍ଡିଏ ବି ଭୋଟ ନାକଚ ହୋଇ ନ ଥିବା ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଜେଡି ଦଳର ଅଧିକାଂଶ ପ୍ରତିନିଧି ଅନାସ୍ଥା ଆଣିଥିଲେ। ହେଲେ ବିଧାୟକ ଅରବିନ୍ଦ ଢ଼ାଲି ସେମାନଙ୍କୁ ସହଯୋଗ କରି ନ ଥିଲେ। ତେଣୁ ବିଧାୟକ ବିଜେଡି ଦଳ ବିରୋଧୀ କାର୍ଯ୍ୟ କରିଥିବା ବ୍ଲକ ଉପାଧକ୍ଷ କୈଳାଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଅନ୍ୟ ପକ୍ଷରେ ବ୍ଲକ ଅଧ୍ୟ୍ୟକ୍ଷା ମନୀଷା ଚୌଧୁରୀ ଭୋଟ ସମୟରେ ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର