ଗଣେଶ ପୂଜାରେ ଝଲସୁଛି ଜଟଣୀ ସହର: ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ, ପଡ଼ିଆରେ ମନୋରଞ୍ଜନ

ପୋଷ୍ଟ ଅଫିସ୍ ଛକରେ ୨୦ ଫୁଟ୍‌ର ଗଣପତି

ଜଟଣୀ: ଚଳିତ ବର୍ଷ ଗଣେଶ ପୂଜା ଲାଗି ଜଟଣୀ ସହର ପୂର୍ବାପେକ୍ଷା ବେଶି ଚଳଚଞ୍ଚଳ ହୋଇଉଠିଛି। ପୂରା ସହରଟା ମେଳା ପଡ଼ିଆ ପାଲଟିଯାଇଛି। ନାଇଜର୍‌ ଛକରୁ କୁଦିଆରୀ, ‌ହାଟବଜାରରୁ ରେତଙ୍ଗ କଲୋନି, ବାଛେରାରୁ ବାଲିଛକସାହି ସବୁଆଡ଼େ ଉତ୍ସବର ମାହୋଲ୍‌। ପଞ୍ଚମ ଦିନରେ ପହଞ୍ଚିଥିବା ଏହି ମହୋତ୍ସବରେ ଏବେ ଦିନରାତି ପ୍ରବଳ ଭିଡ଼। ମଣ୍ଡପମାନଙ୍କରେ ଆଧ୍ୟାତ୍ମ ପରିବେଶରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମେଳା ପଡ଼ିଆମାନଙ୍କରେ ମନୋରଞ୍ଜନ ଲାଗି ଅଧିକ ଭିଡ଼ ଦେଖିବାକୁ ମିଳୁଛି। ମେଳା ପଡ଼ିଆରେ ମହିଳା ଓ ଶିଶୁଙ୍କ ପ୍ରବଳ ଭିଡ଼। ସଂଜ ବୁଡ଼ୁବୁଡ଼ୁ ସହର ଏକ ଭିନ୍ନ ରୂପରେ ଦୃ୍ଶ୍ୟମାନ ହେଉଛି। ରଙ୍ଗିନ୍‌ ଆଲୋକମାଳାରେ ସବୁଆଡ଼ ଝଲସିଉଠୁଛି। ପୂଜା ମଣ୍ଡପରେ ରଙ୍ଗିନ୍‌ ଆଲୋକ ଭିତରେ ବିଗ୍ରହମାନେ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ସବୁ ତୋରଣର ଆଖି ଝଲସା ଲାଇଟ୍‌ ସହରର ରାଜରାସ୍ତାକୁ ଝଲମଲ କରୁଛି। ମଣ୍ଡପରେ ଯେତିକି ଶ୍ରଦ୍ଧାଳୁ, ମୀନାବଜାରରେ ସେତିକି ଦର୍ଶକ। ସନ୍ଧ୍ୟାରେ ପାଲା ସାଙ୍ଗକୁ ରାତିରେ ଅପେରା ପ୍ରତିଯୋଗିତା ଗହଳଚହଳକୁ ବଢ଼ାଉଛି।

ଏଥର ସବୁ ମଣ୍ଡପରେ ସାଜସଜା ଭିନ୍ନ ଧରଣର ହୋଇଛି। କେଉଁଠି ଗଜାନନ ଜଳାଶୟ ମଧ୍ୟରେ ପ୍ରତିଷ୍ଠା ହୋଇଛନ୍ତି ତ କେଉଁଠି ଚନ୍ଦ୍ରଯାନ ମଧ୍ୟରେ ମୃଣ୍ମୟୀ ମୂର୍ତ୍ତି ବସିଛନ୍ତି। ଏବର୍ଷ ପ୍ରାୟ ସବୁ ମଣ୍ଡପର ମୂର୍ତ୍ତି ବଡ଼ ଓ ଅଧିକ ସୁନ୍ଦର ଦେଖାଯାଉଥିବା ଦର୍ଶକମାନେ କହୁଛନ୍ତି। ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ‌ରୁ ଆରମ୍ଭ ହେଉଛି ବିଭିନ୍ନ ପୂଜା ମଣ୍ଡପରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ। ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଏଲ୍‌ଇଡି ଲାଇଟ୍‌ରେ ବାଘ, ଭାଲୁ, ବଣମଣିଷ, ପଶୁପକ୍ଷୀଙ୍କ ଆନିମେସନ୍ କାର୍ଟୁନ୍‌ ପୂଜା ମାହୋଲ୍‌କୁ ଆହୁରି ସରସ ସୁନ୍ଦର କରୁଛି। ଜଟଣୀ ଟାଉନ୍‌ ସମତେ ବାଛେରା, ଖୁଦୁପୁର, କୁମାରଖାତିଆ, ପାତ୍ରପଡ଼ା, ନୂଆଗାଁ, ଉପରବସ୍ତ, ଛଣଘର-କୁସୁମାଟି, କୁଦିଆରୀ, ରଥିପୁର ଆଦି ଗାଁରେ ଘରେଘରେ କୁଣିଆ ଭର୍ତ୍ତି ହୋଇଛନ୍ତି। ତେଣୁ ଘରେଘରେ ଖୁସିର ପରିବେଶ। ପାର୍ବତୀ ଗଣନାଟ୍ୟ, ବାଘାଯତିନ୍‌ ଅପେରା, ଶ୍ରୀଦୁର୍ଗା, ଇନ୍ଦ୍ରଭୁବନ ଓ ଆକାଶଗଙ୍ଗା ଆଦି ଯାତ୍ରାପାର୍ଟି ରାତିର ନିରବତାକୁ ଭଙ୍ଗ କରୁଛି। କୁଦିଆରୀ ବଜାର, ସୁଜାତା ଆନନ୍ଦ ପଡ଼ିଆ ଓ ଖୁଦୁପୁର ପଡ଼ିଆରେ ମୀନା ବଜାର ପଡ଼ିଛି।

ପୋଷ୍ଟ ଅଫିସ୍ ଛକରେ ୨୦ ଫୁଟ୍‌ର ଗଣପତି
ଚଳିତ ବର୍ଷ ପୋଷ୍ଟ ଅଫିସ୍ ଛକ ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ମଣ୍ଡପରେ ୨୦ ଫୁଟ୍ ଉଚ୍ଚର ମୂର୍ତ୍ତି ପୂଜା ପାଉଛି। ଏଠାରେ ୪୫ ଫୁଟ୍‌ର ରାମଦୋଳି ତୋରଣ, ଚନ୍ଦ୍ରାୟନର ବିକ୍ରମ ଲ୍ୟାଣ୍ଡର ଓ ବିଭିନ୍ନ ପଶୁପକ୍ଷୀଙ୍କ ଆନିମେସନ୍‌ ସମସ୍ତଙ୍କୁ ବିମୋହିତ କରୁଛି। ଗଜାନନଙ୍କ ନିକଟରେ ଶୋଭା ପାଉଥିବା ୫୦ କେଜିର ଲଡ଼ୁ ଅନ୍ୟତମ ଆକର୍ଷଣ। ପରମ୍ପରା ଅନୁସାରେ ଏହି ଲଡ଼ୁକୁ ଭସାଣିର ପରଦିନ ନିଲାମ କରାଯିବ। ଏଠାରେ ପାରମ୍ପରିକ ନୃତ୍ୟ ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ, ଯୋଡ଼ିଶଂଙ୍ଖ, ରଣପା, ସିଳ୍ପିକା ମର୍ଡନ ଡ୍ୟାନ୍ସ, ମେଲୋଡି ହେଉଥିବା ବେଳେ ମୌତ୍‌ କା କୂଆଁ, ରାମ ଦୋଳି, ଡ୍ରାଗନ୍‌ ଆଦି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି।

ଗୋପବନ୍ଧୁ ଛକରେ ମନକିଣୁଛି ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରଦର୍ଶନୀ
ଗୋପବନ୍ଧୁ ବଜାର ପୂଜା କମିଟି ପକ୍ଷରୁ କରାଯାଇଥିବା ଜଗନ୍ନାଥଙ୍କ ବେଶ ପ୍ରଦର୍ଶନୀ ବେଶ୍ ଆକର୍ଷଣୀୟ ହୋଇଛି। ମଣ୍ଡପରେ ସୁନ୍ଦର ଗଣପତିଙ୍କ ମୂର୍ତ୍ତି ଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କର ୨୦ ବେଶ ପ୍ରଦର୍ଶନୀ ବହୁ ଚମତ୍କାର ହୋଇଛି। ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗଲାଗି ହେଉଛି। ଏଠାରେ ଗଜାନନଙ୍କ ନିକଟରେ ଲାଗି ହେଉଥିବା ଲଡ଼ୁର ଓଜନ ୬୫କେଜି କରାଯାଇଛି। ଏହି ଲଡ଼ୁକୁ ନିଲାମରେ ନେବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି।

ଥାନା ଛକ ପୂଜାରେ ଥାନା ଭୋଗ
ଜଟଣୀ ଥାନା ଛକରେ ମଧ୍ୟ ଧୂମ୍‌ଧାମ୍‌ରେ ପ୍ରଭୁ ଗଜାନନଙ୍କ ପୂଜା ଚାଲିଛି। ଏଠାରେ ପୂଜାର ପ୍ରଥମ ଦିନ ଓ ଅନ୍ତିମ ଦିନରେ ଜଟଣୀ ଥାନାରୁ ଭୋଗ ଲାଗି କରାଯିବା ବିଧି ରହିଛି। ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀ ଏହି ପୂଜାର କର୍ତ୍ତା ହୋଇଥାନ୍ତି। ଏଠାରେ ସ୍ବତନ୍ତ୍ର ଭାବେ ଲିଆ ଓ ‌ଛେନାର ଭୋଗ ସହ ପ୍ରତିଦିନ ଖଜା, କାକରା, ଖେଚୁଡି, ରସଗୋଲା, ଲଡୁ, ଚୁଡାଘଷା, ମାଲପୁଆ ଆଦି ଭୋଗଲାଗି ହେଉଛି।

ରାଜାବଜାରରେ ଧବଳମୁଖୀ ଗଣେଶ
ବିଧି ଓ ପରମ୍ପରା ଅନୁସାରେ ରାଜା ବଜାରରେ ଧବଳମୁଖୀ ଗଣେଶ ପୂଜା ପାଉଛନ୍ତି। ଗଣେଶଙ୍କ ଧବଳ ମୁଖ ଦର୍ଶନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ଥିବାରୁ ଏଠାରେ ଏହି ବିଧି ପାଳନ କରାଯାଉଛି। ପ୍ରତିଦିନ ଠାକୁରଙ୍କ ନିକଟରେ ୧ କ୍ବିଣ୍ଟାଲ ମିଷ୍ଟାନ୍ନ ଭୋଗଲାଗି ହେବା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।

ସମ୍ବନ୍ଧିତ ଖବର