ବାଲିପାଟଣା: ଚୋରକୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ରାହାଜନୀ, ଲୁଟ ସଂଖ୍ୟା ବଢୁଛି। ବିଶେଷ କରି ବ୍ରାଉନସୁଗାର ପାଇଁ ଚୋରମାନେ ଚୋରି କରୁଛନ୍ତି। ଜାଣିବାକୁ ମିଳିଛି ଯେ ଗତକାଲି ବିଳମ୍ବିତ ରାତିରେ ବାଗଲପୁର ଗ୍ରାମରେ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ପଶିଥିଲେ। ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଲାଇଟ ସବୁ ଲିଭାଇ ଦେଇଥିଲେ। ଜନୈକ ବ୍ୟକ୍ତିଙ୍କ ଅଟୋରୁ ପ୍ରଥମେ ଚୋରି ଉଦ୍ୟମ କରିଥିଲେ। ହେଲେ ସେ ସମୟରେ କୁକୁର ଭୁକିବାରୁ ସ୍ଥାନ ଛାଡି ପଳାଇଯାଇଥିଲେ ଚୋର ସବୁ।

ପୁଣି ସେହି ଗ୍ରାମର ଭାଗବତ ଦାସଙ୍କ ଗୁହାଳୁ ଛେଳି ଫିଟାଉ ଥିବା ସମୟରେ ପରିବାର ଲୋକେ ଦେଖି ଚୋରକୁ କାବୁ କରିନେଇଥିଲେ। ଗ୍ରାମବାସୀ ଜାଣିବା ପରେ ଗାଁ ବିଦ୍ୟୁତ ଖୁଣ୍ଟରେ ଚୋରକୁ ବାନ୍ଧିଦେଇଥିଲେ। ମାରଧର କରିବା ପରେ ପୁଲିସ ଡାକି ଜିମା ଦେଇଥିଲେ। ଧରାପଡ଼ିଥିବା ଚୋର ଜଣଙ୍କ ତୁରିନ୍ତିରା ପଞ୍ଚାୟତ ଅନସ୍ତମାଳ ଗ୍ରାମର ପଞ୍ଚୁ କାଣ୍ଡିଙ୍କ ପୁଅ ହେମନ୍ତ କାଣ୍ଡି ବୋଲି ଜଣାପଡିଛି। ହେଲେ ସାଥିରେ ଆସିଥିବା ଅନ୍ୟ ୨/୩ ଜଣ ଚୋର ଘଟଣାସ୍ଥଳରୁ ଖସି ଯିବାରେ ସମର୍ଥ ହୋଇଛନ୍ତି। ଏନେଇ ଭାଗବତ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ସମ୍ପୃକ୍ତ ଚୋରର ତଥ୍ୟ ଆଧାରରେ ଘଟଣାରେ ସଂଶ୍ଳିଷ୍ଠ ଅନ୍ୟମାନଙ୍କୁ ଧରିବା ଚଢ଼ାଉ ଜାରି ରଖିଛି। ଧରାପଡ଼ିଥିବା ଚୋର ଠାରୁ ବ୍ରାଉନ ସୁଗାର ପୁଡିଆ ଜବତ ହୋଇଛି। ଏହି ଗ୍ୟାଙ୍ଗକୁ ଧରି ପୁଲିସ ଅଧିକ ଖୋଳତାଡ଼ କଲେ ବହୁ ଚୋରି ଘଟଣାର ପର୍ଦାଫାଶ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର