ମାଛ ଗାଡ଼ି ଲୁଟ୍ ମାମଲାରେ ୩ ଗିରଫ

ଖୋର୍ଦ୍ଧା: ଆଜି ଭୋରରେ ଖୋର୍ଦ୍ଧା ଉପକଣ୍ଠ ତରତୁଆ ଠାରେ ଏକ ମାଛଗାଡ଼ି ଲୁଟ ହୋଇଥିଲା । ଏହି ଘଟଣାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ମାଛ ଓ ଗାଡ଼ି ଉଦ୍ଧାର କରିଛି ।
ସୂଚନାନୁସାରେ, ଗଂଜାମ ଜିଲ୍ଲା ଭଂଜନଗର ନିରଗଛା ଗାଁରୁ ଜିତୁ ବାରିକ ନାମକ ଜଣେ ଯୁବକ ଏକ ୪୦୭ ଗାଡ଼ିରେ ୧ କ୍ୱିଂଟାଲ୍ ମାଛ ନେଇ ବାଙ୍କୀ ଆସୁଥିଲେ । ଭୋର ୪ଟା ବେଳେ ତରତୁଆ ଛକ ଠାରେ ୩ଜଣ ଯୁବକ ଏକ ମୋଟସାଇକଲରେ ପିଛା କରି ଗାଡ଼ିଟିକୁ ଅଟକାଇଥିଲେ । ଏହାପରେ ଗାଡ଼ିଚାଳକ ଜିତୁଙ୍କୁ ମାରପିଟ କରିବା ସହ ମାଛଭର୍ତି ଗାଡ଼ିଟିକୁ ନେଇ ନାଲିପଡ଼ା ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଛାଡ଼ି ଦେଇ ଗାଡ଼ି ନେଇ ବାଘମାରୀ ପଟକୁ ଚାଲିଯାଇଥିଲେ ।

ଏନେଇ ଜିତୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ୍ଆଇ ଅନୁଭା ଦାସଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ୩ଜଣଙ୍କୁ ଗିରଫ କରିଥିଲେ । ସେମାନେ ଲୁଚାଇ ରଖିଥିବା ମାଛ ଓ ଗାଡ଼ି ଉଦ୍ଧାର କରିଥିଲେ । ଗିରଫ ହୋଇଥିବା ୩ଜଣ ହେଲେ ନାଲିପଡ଼ା ଅର୍ଜୁନପୁରର ପ୍ରଶାନ୍ତ ପାଣ୍ଡିଆ ଓ ତପନ ସ୍ୱାଇଁ, ତୋଟାପଡ଼ାର ଲିଙ୍ଗରାଜ ବେହେରା । ଏନେଇ ୧୬୫/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର