ବଟି ନ ଦେବାରୁ ଜେସିବି ଚାଳକଙ୍କୁ ହତ୍ୟା ଉଦ୍ୟମ

ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟିନେଲେ

ବୋଲଗଡ଼ : ବାଙ୍କୋଇ-ପାଟବନ୍ଧରେ ଚାଲିଥିବା ରାସ୍ତାକାମରେ ନିଯୁକ୍ତ ଏକ ଜେସିବି ଚାଳକଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ହୋଇଥିବା ନେଇ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଜେସିବି ଚାଳକଜଣଙ୍କ ହେଲେ, ବାଙ୍କୋଇ ଗ୍ରାମର କାହ୍ନଚରଣ ମଙ୍ଗରାଜ। ଗୁରୁବାର ସଂଧ୍ୟା ପ୍ରାୟ ୭ଟା ବେଳେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କାହ୍ନଙ୍କୁ ଧମକ ଚମକ ଦେବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣେ କାହ୍ନଙ୍କ ପକେଟ୍‌ରୁ ୭ ହଜାର ୨ଶହ ଟଙ୍କା ଲୁଟି ନେଇଥିଲା। ଗଲା ବେଳେ ଦୁର୍ବୃତ୍ତମାନେ କାହ୍ନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଉପରକୁ ଏକ ବୋମା ଫିଙ୍ଗିଥିଲେ। କିନ୍ତୁ ସୌଭାଗ୍ୟବଶତଃ ବୋମାଟି ଫୁଟି ନଥିଲା।

କାହ୍ନୁ ଭୟଭୀତ ହୋଇ ନିକଟରେ ଥିବା ଏକ ବୁଦା ମୂଳେ ଲୁଚି ବାଙ୍କୋଇ ଗ୍ରାମର କେତେକ ସହଯୋଗୀଙ୍କୁ ଫୋନ୍‌ କରିଥିଲେ। ଗ୍ରାମର ୧୦ରୁ ୧୫ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ବାଙ୍କୋଇ ଫାଣ୍ଡିକୁ ଖବର ଦିଆଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରୁ ପୁଲିସକୁ ଏକ ପିସ୍ତଲ, ଜୀବନ୍ତ ଗୁଳି, ଅଫୁଟା ବୋମା ଓ ଏକ ନାଲି ରଙ୍ଗର ହିରୋହୋଣ୍ଡା ବାଇକ୍‌ ଜବତ କରିଛି। ଏ ସମ୍ପର୍କରେ ଆଜି ବୋଲଗଡ଼ ଥାନାରେ ଏତଲା ଦିଆଯିବା ପରେ ପୁଲିସ ନମ୍ବର ୧୬/୧୮ ଦଫା ୩୯୨, ୩୦୭, ୩୮୬, ଆଇପିସି, ୨୫, ୨୭ ଆର୍ମ୍ସ ଆକ୍ଟ ଓ ୩ ଏବଂ ୪ ଇଏସ ଧାରାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଏହି ୪ଜଣ ଦୁର୍ବୃତ୍ତ କାହ୍ନଙ୍କୁ ବଟି ବାବଦକୁ ୨ ଲକ୍ଷ ଟଙ୍କା ଗୁରୁବାର ସୁଦ୍ଧା ପଇଠ କରିବାକୁ ଧମକାଇଥିଲେ। କିନ୍ତୁ କାହ୍ନ ଟଙ୍କା ନ ଦେବାରୁ ଗୁରୁବାର ସଂଧ୍ୟାରେ ସେମାନେ କାହ୍ନଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିବା ସହ ତାଙ୍କ ନିକଟରେ ଥିବା ଟଙ୍କାତକ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର