ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜୟମଙ୍ଗଲ ନିକଟରେ ଘଟିଥିବା ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାମଳିମ ଗ୍ରାମର ସୀତାକାନ୍ତ ମାର୍ଥା ଓ ବିଦ୍ୟାଧର ପାତ୍ର ବାଇକ୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ତେଲ ଟ୍ୟାଙ୍କର ଚଢ଼ିଯାଇଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା। ବାଟରେ ସୀତାକାନ୍ତର ମୃତ୍ୟୁ ଘଟିଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ବିଦ୍ୟାଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ଉଭୟ ଖୋର୍ଦ୍ଧା ଶିଳ୍ପାଞ୍ଚଳସ୍ଥିତ ଭାରତ ଗ୍ୟାସ କମ୍ପାନିରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ପାଇ ପୁଲିସ ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ତେଲ ଟ୍ୟାଙ୍କର ଫେରାର ହୋଇ ଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ପରିବାର ଓ କମ୍ପାନିର ଅନ୍ୟ କର୍ମଚାରୀମାନେ ସହାୟତା ଦାବି କରି କମ୍ପାନିରେ ତାଲା ପକାଇ ଦେଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।