ଖୋର୍ଧା : ଟାଙ୍ଗୀ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର କୋଚିଲା ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲୁଟ୍ ଘଟଣାରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅର୍ନ୍ତଗତ ବାମଡ଼ା ଗ୍ରାମର ସମସୁଦ୍ଦିନ୍ ଖାଁ ଓ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରୁ ଦିଲୀପ ରାଉତ ଓରଫ ମିଟୁ। ଏମାନଙ୍କଠାରୁ ପୁଲିସ ମୋଟ ୧ ଲକ୍ଷ ୨ ହଜାର ଟଙ୍କା, ୪ଟି ବାଇକ୍ ଜବତ କରିଛି। ଏନେଇ ପୁଲିସ ଦଫା ୩୯୪ ଆଇପିସି,, ୨୫/୨୭ ଆର୍ମସ ଆକ୍ଟରେ ନମ୍ବର ୩୭୦/୧୭ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି। ଧରାପଡ଼ିଥିବା ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚରା କରି ପୁଲିସ ଅଧିକ ତଥ୍ୟ ସଂଗ୍ରହ କରିଛି।
ସୂଚନା ଅନୁଯାୟୀ, ବାଲୁଗାଁ ଅଲାଇଡ଼ିହ ଛକ ଭରତ ନଗରଠାରେ ଥିବା ଆରୋହଣ ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥା ରହିଛି। ଗତ ନଭେମ୍ବର ୨୭ ତାରିଖ ଦିନ ପ୍ରାୟ ସାଢ଼େ ୧ଟା ବେଳେ ଏହି ସଂସ୍ଥାର ଦୁଇ କର୍ମଚାରୀ ବିଜୟ କୁମାର ସାମଲ ଓ ଡାନିଏଲ ଶବର ଋଣ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ୩ଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବିଜୟଙ୍କ ପେଟରେ ବାଜିବାରୁ ସେ ବାଇକ୍ ସହ ତଳେ ପଡ଼ିଯାଇଥିଲେ। ପରେ ଲୁଟେରାମାନେ ତାଙ୍କଠାରୁ ଆଦାୟ ଋଣ ଟଙ୍କା ଭର୍ତି ବ୍ୟାଗ୍ଟିକୁ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ। ଉକ୍ତ ବ୍ୟାଗ୍ରେ ୨ଲକ୍ଷ ୬୫୦ଟଙ୍କା ଥିଲା। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ତଦନ୍ତ କରି ଏହି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି।
ଟାଙ୍ଗୀ ଥାନା ପୁଲିସ ସନ୍ଦେହରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅର୍ନ୍ତଗତ ବାମଡା ଗ୍ରାମରୁ ସମସୁଦ୍ଦିନ୍ ଖାଁ ଓ ଟାଙ୍ଗୀ ଥାନା ସୋରଣ ଗ୍ରାମରୁ ମିଟୁ ଓରଫ ଦିଲୀପ ରାଉତକୁ ଧରି ଆଣି ପଚରାଉଚରା କରିବାରୁ ସେମାନେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଥିଲେ। ଏହି ଅଭିଯୁକ୍ତଦ୍ୱୟଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୬ରୁ ଊର୍ଧ୍ୱ ଲୁଟ୍ ମାମଲା ରହିଛି। ଖୋର୍ଧା ଟାଉନ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଧା ଏସ୍ପି ଦୀପ୍ତିରଂଜନ ରାୟ ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଦର ଥାନା ଆଇଆଇସି ବିକ୍ରମ ଜେନା, ଟାଉନ୍ ଥାନା ଆଇଆଇସି ରଂଜିତ କୁମାର ସାହୁ, ଟାଙ୍ଗୀ ଥାନା ଅଧିକାରୀ ରଶ୍ମି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/khurdha.jpeg)