ନା କହିପାରନ୍ତି ନା ଶୁଣିପାରନ୍ତି, ଆଖିରେ ଆଖିରେ କହିଦେଲେ ମନର କଥା

ପ୍ରପୋଜ ବି ଏମିତି ହୁଏ!

ବାଣପୁର: ନା କହିପାରନ୍ତି ନା ଶୁଣିପାରନ୍ତି କିନ୍ତୁ ବୁଝିପାରନ୍ତି ପରସ୍ପରର ମନର କଥା | ପରସ୍ପର ହୃଦୟର ପ୍ରତିଟି ସ୍ପନ୍ଦନକୁ ଦୁହେଁ ଅନୁଭବ କରନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଦୁଇ ପ୍ରେମ ପକ୍ଷୀରୁ ସ୍ୱାମୀ-ସ୍ତ୍ରୀ ହୋଇଥିବା ନବବିବାହିତଙ୍କ କଥା କହିବୁ ଯାହାକୁ ଜାଣିବା ପରେ ଆପଣ ବି କହିବେ ପ୍ରେମର କିଛି ଭାଷା ନଥାଏ | ପ୍ରେମର କିଛି ମାଧ୍ୟମ ନଥାଏ, ଆଇ ଲଭ ୟୁ ନ କହି ବି ପ୍ରେମ ହୁଏ | ଗତ ଶୁକ୍ରବାର ବାଣପୁରର ଟିକିରାଇ ମନ୍ଦିରରେ ଏମିତି ଏକ ବିବାହ ହୋଇଛି ଯାହା ପ୍ରେମର ଏକ ନୂଆ ଠିକଣାକୁ ଖୋଜିପାରିଛି | ବର ବେଶରେ ସଜେଇ ହୋଇ ନିଜ ମାନସୀକୁ ବିବାହ ପାଇଁ ବାହାରିଥିଲେ ଖୋର୍ଦ୍ଧା ଜିଲା ବାଣପୁର ତଳସାହିର କିସାନ ନାୟକ |

ଆଉ ନିଜ ମନର ମଣିଷକୁ ଅପେକ୍ଷା କରିଥିଲେ ଟାଙ୍ଗୀ ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ବିଷ୍ନୁପ୍ରିୟା ବେହେରା | ଉଭୟ ବାଣପୁର ନେହେରୁ ସେବା ସଂଘରେ ପାଠ ପଢୁଥିଲେ | କିସାନ ଯେତେବେଳେ ୧୦ମ ଶ୍ରେଣୀରେ ପଢୁଥିଲେ ବିଷ୍ନୁପ୍ରିୟା ୮ମ ଶ୍ରେଣୀରେ ପଢୁଥିଲେ | ଆଉ ସେତେବେଳେ ହିଁ ଦୁହେଁ ପରସ୍ପରକୁ ମନ ଦେଇଦେଇଥିଲେ | ଉଭୟ ଦିବ୍ୟାଙ୍ଗ(ମୁକ-ବଧିର) ହୋଇଥିବାବେଳେ ପ୍ରପୋଜ କରିନଥିଲେ ସତ କିନ୍ତୁ ଆଖିରେ ଆଖିରେ କହିଦେଇଥିଲେ ହୃଦୟର କଥା |

ତେବେ ଉଭୟଙ୍କ ଜାତି ଅଲଗା ଥିବାରୁ ବିବାହରେ ବାଧା ସୃଷ୍ଟି ହେବା ଭୟରେ କେହି ପରିବାରକୁ କହିନଥିଲେ | କିଛି ବର୍ଷର ଅପେକ୍ଷା ପରେ ଦୁହିଁଙ୍କ ମଧ୍ୟରେ ଥିବା ନିବିଡ ଭଲ ପାଇବାକୁ ସାଙ୍ଗମାନେ ଜାଣିପାରିଥିଲେ | ଆଉ ସାଙ୍ଗମାନେ ଉଭୟଙ୍କ ପରିବାରଙ୍କୁ ଏବାବଦରେ ଜଣାଇଥିଲେ | ଦୁଇ ପରିବାରର ସ୍ୱୀକୃତି ପରେ ବାଣପୁରର ଟିକିରାଇ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିଲା |

ସମ୍ବନ୍ଧିତ ଖବର