ଭିସାଲ୍‌ ପଲିମର୍ସର ମୁଖ୍ୟ ଗିରଫ

ଭୁବନେଶ୍ବର : ଜାଲିଆତି କରି ଆହ୍ଲାବାଦ ବ୍ୟାଙ୍କ ପୁରୁଣା ଷ୍ଟେସନ୍‌ ବଜାର ଶାଖାରୁ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଭିସାଲ୍‌ ପଲିମର୍ସର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ, ଖୋର୍ଧା ଜିଲ୍ଲା ବାଣପୁର ବଜାରସାହି ଅଞ୍ଚଳର ଦେବରାଜ ସୁବୁଦ୍ଧି। ଗିରଫ ପରେ ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି।

ସୂଚନା ମୁତାବକ, ୨୦୧୦ ମସିହାରେ ଦେବରାଜ ଭିସାଲ୍‌ ପଲିମର୍ସ ନାମକ ଏକ ପଲିଥିନ୍‌ ବ୍ୟାଗ ତିଆରି ଉଦ୍ୟୋଗ ପାଇଁ ଆହ୍ଲାବାଦ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ସେ ବାଣପୁର ମୌଜା ଓ ନନ୍ଦନକାନନସ୍ଥିତ ରଘୁନାଥପୁର ଅଞ୍ଚଳର ଦୁଇଟି ଜମି ବନ୍ଧକ ରଖି ୬୦ ଲକ୍ଷ ଏବଂ ୪୦ ଲକ୍ଷ ଟଙ୍କାର ଦୁଇଟି ଋଣ ନେଇଥିଲେ। କିନ୍ତୁ ଋଣ ନେବା ପରେ ସେ କୌଣସି କିସ୍ତି ଦେଇନଥିଲେ। ୨୦୧୪ ମସିହା ବେଳକୁ ଋଣ ରାଶି ଏକ କୋଟି ୪୫ଲକ୍ଷ ୭୯ ହଜାରରେ ପହଞ୍ଚି ସାରିଥିଲା। ଋଣ ପରି‌ଶୋଧ ନ କରିବାରୁ ଦେବରାଜ ବନ୍ଧକ ଦେଇଥିବା ଜମିଗୁଡ଼ିକୁ ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ବାଣପୁର ଜମିଟି ବନ୍ଧକ ଦେବା ପୂର୍ବରୁ ଅନ୍ୟ ଜଣଙ୍କୁ ବିକ୍ରି ହୋଇସାରିଥିଲା। ଆଉ ରଘୁନାଥପୁର ଜମିଟି ସରକାରୀ ଜମି। ଜାଲିଆତି ହୋଇଥିବା ଜାଣିବା ପରେ ଶାଖା ମୁଖ୍ୟ ପ୍ରବନ୍ଧକ ବବିତା ସର୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨୭/୧୮‌ ଆଇପିସି ଦଫା ୪୨୦, ୪୦୬, ୪୬୭, ୪୬୮, ୪୭୧ ଏବଂ ୧୨୦(ଖ)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୂର୍ବରୁ ଏହି ମାମଲା‌ର ମୁଖ୍ୟ ଅଭିଯୁକ୍ତ ନାରାୟଣ ସେନାପତିକୁ ଇଓଡବ୍ଲ୍ୟୁ ଗିରଫ କରିଛି।

ସମ୍ବନ୍ଧିତ ଖବର