ସପ୍ତାହାନ୍ତ ସଟଡାଉନ୍: ଘରେ ଅଟକିଲେ ଜନତା

ଖୋର୍ଦ୍ଧା: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ ଖୋର୍ଦ୍ଧା ଗ୍ରାମାଂଚଳରେ ପଡ଼ିଛି । ପୂର୍ବେ ବାରମ୍ବାର ଅନୁରୋଧ ସତ୍ୱେ କରୋନା କଟକଣାକୁ ଲୋକେ ମାନୁନଥିଲେ ସଟଡାଉନରେ ସମଗ୍ର ଗ୍ରାମାଂଚଳର ପ୍ରାୟ ୭ଲକ୍ଷ ଲୋକ ଘରେ ଅଟକି ରହିଥିଲେ ।
ଆଜି ସପ୍ତାହାନ୍ତ ସଟଡାଉନର ପ୍ରଥମ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତାୟତ ବ୍ୟତୀତ ଖୋର୍ଦ୍ଧା ସହର ସମେତ ସମସ୍ତ ବ୍ଲକରେ ଦୋକାନବଜାର ଓ ଚଳାଚଳ ବନ୍ଦ ରହିଥିଲା । ଆଜି ଦିନର ତାପମାତ୍ରା ୩୮ ଡିଗ୍ରୀରେ ମଧ୍ୟ ବିଭିନ୍ନ ସ୍ଥାନରେ ପୁଲିସ କର୍ମଚାରୀ ପହରା ଦେଇ ସଟଡାଉନ୍ କଡ଼ାକଡ଼ି କାର୍ଯ୍ୟକାରୀ କରିଥିଲେ । ଏନେଇ ସୂଚନା ଦେଇ ଏସ୍ପି ରାଜ କିଶୋର ଦୋରା କହିଛନ୍ତି ଯେ ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ମୋଟ ୧୭ଜଣ ପୁଲିସ୍ ଅଧିକାରୀଙ୍କ ସହ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ୨ଟି ଏନ୍ଏସି ଓ ୨ଟି ପୌରପରିଷଦ- ବାଣପୁର, ବାଲୁଗାଁ, ଜଟଣୀ ଓ ଖୋର୍ଦ୍ଧାରେ ଅତିରିକ୍ତ ୬ଟି ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଥିଲେ ।

ଖୋର୍ଦ୍ଧା ସହରରେ ନୂଆ ବସଷ୍ଟାଣ୍ଡ, ମୁକୁନ୍ଦପ୍ରସାଦ ସମେତ ୩ଟି ସ୍ଥାନରେ ଚେକପୋଷ୍ଟ କରାଯାଇଥିଲା । ଆସନ୍ତାକାଲି ମଧ୍ୟ ଅନୁରୂପ ବ୍ୟବସ୍ଥା ରହିବ ଓ ସପ୍ତାହନ୍ତ କଟକଣା ପରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲୋକମାନେ ସତର୍କ ରହି ମାସ୍କ ପିନ୍ଧିବା, ଗହଳି ସ୍ଥାନରୁ ଦୂରେଇ ରହିବା ଓ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ ବୋଲି ଶ୍ରୀଦୋରା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର