ବୋଲଗଡ଼: ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ। ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପରେ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଧର୍ମପତ୍ନୀ। ଏଣେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ। ଏପରି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ଗୋକୁଳ ଚନ୍ଦ୍ର ସାହୁ ସୁନାଖଳାରେ ଇଲେକେଟ୍ରାନିକ୍ ବ୍ୟବସାୟ କରୁଥିଲେ। ସେ ଦୀପାବଳି ଦିନ ନିଜ ବାଇକରେ ଗାଁକୁ ଫେରୁଥିଲେ। ହଠାତ୍ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୋକୁଳ ଚନ୍ଦ୍ର ସାହୁ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଗୋକୁଳଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହାପରେ ଗୋକୁଳଙ୍କ ପତ୍ନୀ ଅନିନ୍ଦିତା ସୁବୁଦ୍ଧି ନିଜ ରୁମ୍ ଭିତରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ଗୋକୁଳଙ୍କର ଦୁଇ ଝିଅ ଆକାଂକ୍ଷା ଓ ଅନ୍ୱେଷା ଏବେ ଅନାଥ ହୋଇ ପଡ଼ିଛନ୍ତି, ଯାହାକୁ ନେଇ ଚିନ୍ତାରେ ସାରା ପରିବାର।
ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। ଦମ୍ପତି ଖୁବ ମେଳାପି ଓ ଈଶ୍ବରବିଶ୍ବାସୀ ଥିଲେ। ପୁଲିସ ଏବେ ଅନିନ୍ଦିତା ସୁବୁଦ୍ଧିଙ୍କ ମୃତଦେହର ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଇଛି।