ଉଗ୍ରତାରା ମନ୍ଦିରରେ ମହିଳାଙ୍କୁ ଅସଦାଚରଣ, ୨ ଟହଲିଆ ଗିରଫ

ଟାଙ୍ଗୀ (ଖୋର୍ଧା) : ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଙ୍ଗୀ ଥାନା ପୁଲିସ ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରା ମନ୍ଦିରର ୨ଜଣ ଟହଲିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ରାଉତରାପୁରର ଦୁର୍ଗାପ୍ରସାଦ ଦାସ ଓ ଚଣ୍ଡେଶ୍ୱରର ନିଲୁ ମହାପାତ୍ର। ସ୍ୱାମୀଙ୍କ ସହ ମହିଳାଜଣଙ୍କ ଗତରାତିରେ ଏହି ମନ୍ଦିରକୁ ପୂଜାର୍ଚନା କରିବାକୁ ଆସିଥିବା ବେଳେ ଏହି ଅଭିଯୁକ୍ତଦ୍ୱୟ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ସବ୍‌ଇନ୍‌ସ୍ପେକ୍ଟର୍‌ ହରିବନ୍ଧୁ ଦାସଙ୍କଠାରୁ ପ୍ରକାଶ।

ଟାଙ୍ଗୀ ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କ ସୂଚନା ଅନୁଯାୟୀ, ସ୍ୱାମୀଙ୍କ ସହ ଜଣେ ମହିଳା ଗତ ରାତି ପ୍ରାୟ ୧୧ଟାରେ ପୂଜାପାଠ ପାଇଁ ଉଗ୍ରତାରା ମନ୍ଦିରକୁ ଆସିଥିଲେ। ତେବେ ମହିଳାଙ୍କୁ ଏକୁଟିଆ ପାଇ ସେଠାରେ ଥିବା ୨ ଟହଲିଆ ତାଙ୍କୁ ଅସଦାଚରଣ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ତାଙ୍କ ସ୍ୱାମୀ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରେ ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ମନ୍ଦିରରୁ ଏକାଧିକବାର ଚୋରି ହେବାରୁ ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଖୋର୍ଧା ଉପ-ଜିଲ୍ଲାପାଳ ଓ ଟାଙ୍ଗୀ ତହସିଲଦାର ଏହି ମନ୍ଦିରର ଦାୟିତ୍ୱ ନିର୍ବାହ କରନ୍ତି। କିନ୍ତୁ ଗତକାଲି ଘଟିଥିବା ଏହି ଘଟଣା ସମ୍ପର୍କରେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନାଙ୍କୁ ପଚରାଯିବାରୁ ସେ ଏ ସମ୍ପର୍କରେ ଅବଗତ ନଥିବା କହିଥିଲେ।

ସମ୍ବନ୍ଧିତ ଖବର