ତାଳପଡ଼ା କୃଷି ସଭାରେ ଅଭାବନୀୟ କାଣ୍ଡ : ଛୁରାମାଡ଼ରେ ଯୁବକ ମୃତ

ହତ୍ୟାକାରୀ ଭିକୁ ଗିରଫ

ଗ୍ରାମସେବକକୁ ବଞ୍ଚାଇବାକୁ ଯାଇ ପ୍ରାଣ ଗଲା
ଓ୍ଵାର୍ଡସଭ୍ୟାଙ୍କ ସ୍ୱାମୀ ଆହତ

ନିରାକାରପୁର : ରାମେଶ୍ୱର ପଞ୍ଚାୟତର ତାଳପଡ଼ା ଗୋଠପଦାଠାରେ ଆଜି କୃଷି ସଭା ଚାଲିଥିବା ବେଳେ ଜଣେ ଯୁବକର ଛୁରାମାଡ଼ରେ ଗ୍ରାମର ଚରଣ ପ୍ରଧାନ (୪୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ନମ୍ବର ଓ୍ଵାର୍ଡର ଓ୍ଵାର୍ଡସଭ୍ୟାଙ୍କ ସ୍ୱାମୀ ଗୌତମ ପାଲଟାସିଂ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ନେଇ ଗ୍ରାମରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ନିରାକାରପୁର ପୁଲିସ ଚରଣଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ କୃତ୍ତିବାସ ପାଇକରାୟ ଓରଫ ଭିକୁ (୩୫)କୁ ଗିରଫ କରିଛି। ଏନେଇ ଥାନାରେ ନମ୍ବର ୫/୧୮ରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଚଳାଇଛି। ଆସନ୍ତାକାଲି ଅଭିଯୁକ୍ତ ଭିକୁକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ତାଳପଡ଼ାର ଗୋଠପଦାଠାରେ ଆଜି ଏକ କୃଷି ସଭା ଅନୁଷ୍ଠିତ ହେଉଥିଲା। ସଭାରେ ତାଳପଡ଼ା, ଚନ୍ଦନପୁରର ଚାଷୀ ଓ କିଛି ଗ୍ରାମବାସୀଙ୍କ ସମେତ ଗ୍ରାମ ସେବକ ପ୍ରତାପ କୁମାର ସାହୁ ଉପସ୍ଥିତ ଥିଲେ। ତେବେ ସଭା ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମସେବକ ଶ୍ରୀ ସାହୁ ଓ ଭିକୁ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭିକୁ ଅଣ୍ଟାରୁ ଏକ ଛୁରି ବାହାର କରି ଗ୍ରାମସେବକ ଶ୍ରୀ ସାହୁଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ସେହି ଗ୍ରାମର ଚରଣ ପ୍ରଧାନ ଏହାର ପ୍ରତିବାଦ କରିବାରୁ ଭିକୁ ତାଙ୍କ ପେଟକୁ ଛୁରିରେ ତିନିଥର ଭୁଶି ଦେଇଥିଲା। ଭିକୁକୁ ଅଟକାଇବାକୁ ଯାଇ ୧୨ନମ୍ବର ଓ୍ଵାର୍ଡର ଓ୍ଵାର୍ଡ ସଭ୍ୟାଙ୍କ ସ୍ୱାମୀ ଗୌତମ ପାଲଟାସିଂ ମଧ୍ୟ ଆହତ ହୋଇଥିଲେ। ଏଭଳି କାଣ୍ଡ ଦେଖି ଉପସ୍ଥିତ ଲୋକେ ସ୍ତବ୍ଧ ହୋଇ ଯାଇଥିଲେ। ତେବେ ଗ୍ରାମବାସୀମାନେ ତୁରନ୍ତ ଚରଣଙ୍କୁ ଚିକିତ୍ସା ଲାଗି ନିରାକାରପୁରସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଖୋର୍ଧା ସରକାରୀ ହସ୍ପିଟାଲ ନେଉଥିବା ବେଳେ ବାଟରେ ଚରଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର