ବେଗୁନିଆରେ ଯୁବକଙ୍କୁ ହତ୍ୟା

ଅଭିଯୁକ୍ତଙ୍କ ଘର ଜଳିଗଲା

ବେଗୁନିଆ/ବୋଲଗଡ଼ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିବାହକୁ ମାତ୍ର ୪ ଦିନ ବାକି ଥିବାବେଳେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ତାଙ୍କ ବଡ଼ବାପା ଭାଇ ପୁଅ କଟୁରିରେ ଚୋଟ ପକାଇ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ନିଜ ପରିବାର ସହ ଗାଁରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଆଜି ଦିନ ପ୍ରାୟ ୧୧ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ୍‌ର ସୂଚନା ଅନୁସାରେ, ଦେଉଳି ଗାଁର ପଞ୍ଚୁ ସାହୁ ଓ ଗୋବିନ୍ଦ ସାହୁ ଦୁଇଭାଇ। ତେବେ ଉଭୟ ପରିବାର ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ଏହାକୁ ନେଇ ପଞ୍ଚୁ ସାହୁ (୨୩)ଙ୍କ ପୁଅ ନିରଞ୍ଜନ ସାହୁ(୪୨ ବର୍ଷ) ଓ ଗୋବିନ୍ଦ ସାହୁଙ୍କ ପୁଅ ଚିନ୍ମୟ ସାହୁଙ୍କ ମଧ୍ୟରେ ବି ବିବାଦ ଚରମସୀମାରେ ପହଞ୍ଚିଥିଲା। କେବଳ ସେତିକି ନୁହେଁ, ପରକୀୟା ପ୍ରୀତିକୁ ନେଇ ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗିଥିଲା। ଗାଁରେ ‌ବୈଠକ ବସି ଉଭୟ ମାମଲାର ସମାଧାନ କରାଯାଇଥିଲା।

ଏହିଭଳି ସ୍ଥିତିରେ ଆସନ୍ତା ୨୨ ତାରିଖରେ ଚିନ୍ମୟଙ୍କର ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଆଜି ଦିନ ୧୧ଟା ବେଳେ ଚିନ୍ମୟ ନିଜ ବାଇକ୍‌ ଯୋଗେ ଗାଁ ମୁଣ୍ଡରେ ଥିବା ଏକ ଫାର୍ମକୁ କୌଣସି କାର୍ଯ୍ୟରେ ଯାଉଥିବାବେଳେ ହଠାତ୍‌ ନିରଞ୍ଜନ ଅତର୍କିତ ଆକ୍ରମଣ କରିଥିଲେ। ଏକ କଟୁରିରେ ଚିନ୍ମୟଙ୍କ ବେକକୁ ଚୋଟ ପକାଇଥିଲେ। ଫଳରେ ଚିନ୍ମୟ ଚିତ୍କାର କରି ତଳେ ପଡ଼ିଯିବା ସହିତ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଚିନ୍ମୟଙ୍କ ଚିତ୍କାର ଶୁଣି ଲୋକେ ଦୌଡ଼ି ଆସିବା ବେଳକୁ ନିରଞ୍ଜନ ସେଠାରୁ ଫେରାର ହୋଇଯାଇଥିଲେ।

ଗାଁ ଲୋକେ ତାଙ୍କ ଘର ନିକଟକୁ ଗଲାବେଳକୁ ସେଠାରେ ନିଜେ ନିରଞ୍ଜନ, ତାଙ୍କ ସ୍ତ୍ରୀ କିମ୍ବା ତାଙ୍କ ବାପା ପଞ୍ଚୁ ସାହୁ କେହି ନ ଥିଲେ। ଅପରପକ୍ଷେ ଲୋକେ ଦେଖିଲାବେଳକୁ ନିରଞ୍ଜନଙ୍କ ଘର ଜଳୁଥିଲା। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

ପୁଲିସ ଏ ନେଇ ନିରଞ୍ଜନ, ତାଙ୍କ ବାପା ଓ ଭାଇଙ୍କ ନାଁରେ ଏକ ନରହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସହିତ ତାଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର