ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘରର ୫ମ ବାର୍ଷିକୋତ୍ସବ

ସଂକଳ୍ପ ନିଅନ୍ତୁ "ଓଡ଼ିଆ ଭାଷା' ସଂକଟରେ ଅଛି ବୋଲି କେବେ କୁହନ୍ତୁ ନାହିଁ : ସୌମ୍ୟରଂଜନ

ଖୋର୍ଦ୍ଧା: ସଂକଳ୍ପ ନିଅନ୍ତୁ ‘ଓଡ଼ିଆ ଭାଷା’ ସଂକଟରେ ଅଛି ବୋଲି କେବେ କୁହନ୍ତୁ ନାହିଁ । କାରଣ କୌଣସି ବିଫଳତାରେ ଆତ୍ମହତ୍ୟା ଭଳି ଜଘନ୍ୟ ରାସ୍ତାକୁ ଆପଣେଇବା ଯାହା ନିଜ ମଧ୍ୟରେ ଭାଷାର ସୁରକ୍ଷା ପ୍ରତି ସମର୍ପଣର ଅଭାବରେ ଓଡ଼ିଆ ଭାଷା ସଂକଟରେ ଅଛି ବୋଲି ନକରାତ୍ମକ ମନ୍ତବ୍ୟ ଦେବା ତାହା ବୋଲି ଆଜି ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ୫ମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦର ସମ୍ପାଦକ ତଥା ସାହିତ୍ୟଘରର ସ୍ରଷ୍ଟା ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି ।

ସେ ଓଡ଼ିଆ ଭାଷାର ସଂକଟ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଭାଷା ମଣିଷର ଜୀବନ । ସାହିତ୍ୟିକ ଓ ରାଜନୀତିର ଉଦେ୍ଦଶ୍ୟ ଗୋଟିଏ । ଉଭୟର ଲକ୍ଷ୍ୟ ସମୂହ ବା ସମାଜର ହିତ ସାଧନ କରିବା । ଗଣତନ୍ତ୍ରରେ କ୍ଷମତା ସଂଖ୍ୟା ଦ୍ୱାରା ନିର୍ଦ୍ଧାରିତ ହୁଏ । ସେହିଭଳି ସାହିତ୍ୟିକଙ୍କ ମଧ୍ୟରେ ଏହି ସଂଖ୍ୟାର ନ୍ୟୁନତା ଓ ସେମାନଙ୍କ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତିର ଅଭାବ ହେତୁରୁ ଆଜି ଭାଷାର ସଂକଟ କଥା ମନକୁ ଆସୁଛି । ଏଣୁ ସାହିତ୍ୟିକ ସମାଜସେବା ଓ ରାଜନୀତି ଠାରୁ ନିଜକୁ ଦୂରେଇ ନଦେଇ ଏଥିରେ ସମ୍ପୃକ୍ତ ହୁଅନ୍ତୁ । ଯଦି ସାହିତ୍ୟିକ ରାଜନୀତିକୁ ଆସିବନାହିଁ ଅନ୍ୟ ଅସାହିତ୍ୟିକ ମାନେ ଏହି କ୍ଷେତ୍ରକୁ କବ୍ଜା କରିନେବେ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।

ସେହିଭଳି ସମ୍ବାଦ ସାହିତ୍ୟ ଘରର ପୁସ୍ତକ ପ୍ରକାଶନ, କ୍ୟାଲେଣ୍ଡର ପ୍ରକାଶନ, ବୃକ୍ଷରୋପଣ, ରକ୍ତଦାନ ଭଳି ଅନେକ ଅଭିନବ କାର୍ଯ୍ୟର ପ୍ରଂଶସା କରି କହିଥିଲେ ଯେ କେବଳ କବିତା ଦ୍ୱାରା ସାହିତ୍ୟ ବଂଚିବ ନାହିଁ, ନିଜର କଥା ଲୋକଙ୍କ ନିକଟରେ ପହଂଚାଇବା ଓ ସେମାନଙ୍କ ଠାରୁ ବିରୋଧ ଓ ସମର୍ଥନ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଗଦ୍ୟ ସାହିତ୍ୟର ବିକାଶ ହେବା ମଧ୍ୟ ଜରୁରୀ ବୋଲି କହିଥିଲେ ।

ସାହିତ୍ୟିକ ବିଷ୍ଣୁଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଭାଷାର ଆଜିର ଦୁର୍ଗତି ଅଭିଭାବକଙ୍କ କାରଣରୁ ହୋଇଛି । ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବା, ପିଲାଙ୍କ ମଧ୍ୟରେ ଇଂରାଜୀ ଓ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଇବା ଦ୍ୱାରା ଭାଷାର ମୂଳଦୁଆ ହିଁ ଦୁର୍ବଳ ହୋଇଯାଉଛି । ସ୍କୁଲସ୍ତରରେ ମଧ୍ୟ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଶିକ୍ଷକଙ୍କ ଓ ସରକାରଙ୍କ ଆବଶ୍ୟକ ଆଗ୍ରହ ନାହିଁ । ଅନେକ ସ୍କୁଲରେ ଓଡ଼ିଆ ଶିକ୍ଷକ ନାହାନ୍ତି । ଏଣୁ ଶିକ୍ଷାର ପ୍ରାଥମିକ ସ୍ତରରୁ ଶିଶୁ ସାହିତ୍ୟକୁ ବିକଶିତ କରିବା ଏବଂ ପିଲାକଙ୍କ ପାଇଁ ଓ ପିଲାଙ୍କ ଦ୍ୱାରା ସାହିତ୍ୟର ବିକାଶ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ତଥା ଜଣାଶୁଣା ସାହିତ୍ୟିକ ଶୁଭଶ୍ରୀ ଲେଙ୍କା ସାହିତ୍ୟ ଘରର ବିଭିନ୍ନ କାର୍ଯ୍ୟକଳାପ ଓ ଭାଷାର ସୁରକ୍ଷା ପାଇଁ ସାହିତ୍ୟ ଘରର ଭୂମିକା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ କେବଳ ଲେଖା ଲେଖିଲେ ହେବ ନାହିଁ, ନିଜେ ଜଣେ ଭଲ ପାଠକ ହେବା ସହ ପରବର୍ତୀ ପିଢ଼ିର ପାଠକ ସୃଷ୍ଟି ମଧ୍ୟ କରିବା ଉଚିତ । ଭାଷା ଏକ ପ୍ରବାହମାନ ଧାରା । ଇଂରେଜ ଭାଷା ଯେଭଳି ବିଭିନ୍ନ ଭାଷାକୁ ନେଇ ନିଜର ପ୍ରଭାବ ବିସ୍ତାର କରିପାରୁଛି ସେଭଳି ଓଡ଼ିଆ ଭାଷା ପାଇଁ ମଧ୍ୟ ଉଦାରବାଦ ହେବା ଆବଶ୍ୟକ । ଅନେକ ଚଳନ୍ତି ଭାଷାକୁ ନେଇ ଓଡ଼ିଆ ଭାଷାର ଅଭିବୃଦ୍ଧି କରିବାକୁ ପଡ଼ିବ ବୋଲି ମତ ଦେବା ସହ ଭାଷାକୁ ନଥିପତ୍ର ଓ ଆଇନରେ ସୀମିତ ନରଖି ଏହାର ବିକାଶ ପାଇଁ ତୃଣମୂଳସ୍ତରକୁ ନେବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘରର ସମ୍ବାଦ ବିଶେଷାଙ୍କ ଇନ୍ଦ୍ରଧନୁ ଓ କରୋନା ବିଶେଷାଙ୍କ “ଆମ କବିତା ଘର’ ଓ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ଏହାସହ ସୁବାସିନୀ ପଟ୍ଟନାୟକଙ୍କ କବିତା ଧାରା, ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ପିଲାଙ୍କ ମଜା ଗପ, ରାଜ କିଶୋର ବଳିଆରସିଂହଙ୍କ ଗପରେ ଗପରେ ବାର୍ତା, ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଫେରନ୍ତା ପବନର ଚିଠି ଆଦି ପୁସ୍ତକ ଲୋକାର୍ପିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ଶିବ ସୁନ୍ଦର ପଟ୍ଟନାୟକ, ବର୍ଷିଆନ୍ କବି ଲିଙ୍ଗରାଜ ମନ୍ଥନ, ଶିକ୍ଷାବିତ୍ ଗୟାପ୍ରସାଦ ମିଶ୍ରଙ୍କୁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ସ୍ଥାନୀୟ ଗୀତାଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ଅଧ୍ୟକ୍ଷ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣା ସାହିତ୍ୟଘରର ବାର୍ଷିକ ବିବରଣୀ, ସ୍ୱାଗତ ଭାଷଣ ପ୍ରଦାନ କରଥିଲେ । ସମାଜସେବୀ ଇତିଶ୍ରୀ ସାହୁ ଅତିଥି ପରିଚୟ ଓ ସ୍ୱାଗତ କରିଥିଲେ । କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ । ଆଦିତ୍ୟ ପ୍ରସାଦ ସାହୁ ବେଦ ପାଠ କରିଥିବା ବେଳେ ଆଦିତ୍ୟ ପ୍ରସାଦ ସାହୁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ସମ୍ବନ୍ଧିତ ଖବର