ଜନକଲ୍ୟାଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ, ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ

ବାଲିଅନ୍ତା: ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଗ୍ରସ୍ତରେ ଆସି ସରକାରଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ନେଇ ଦାୟିତ୍ବରେ ଥିବା ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାନ୍ତି ଆଜି ମୋଟ ୯୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଚାଲିଥିବା ଦୁଇ ରୂପାନ୍ତରିକରଣ ବିଦ୍ୟାଳୟ ବାଲିଅନ୍ତା ସରକାରୀ ହାଇସ୍କୁଲ ଏବଂ ବାଳକାଟି ପ୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ।

ତେବେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ପଚାରି ବୁଝିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ନିର୍ମାଣାଧୀନ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ସାଇନ୍ସ ଲାବ, ପିଲାଙ୍କ ଶୌଚାଳୟ, କାର୍ଯ୍ୟାଳୟ ଏବଂ ପରିସରର ପରିବେଶ ଏବଂ ପରିମଳ ବ୍ୟବସ୍ଥା ସଂପର୍କରେ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ପଚାରି ବୁଝିଥିଲେ। ସେପ୍ଟେମ୍ବର ମାସ ଶେଷଦୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ତଦାରଖ ପରେ ଜିଲ୍ଲାପାଳ ପାଠପଢ଼ା ଚାଲିଥିବା ଉପରୋକ୍ତ ଦୁଇ ସ୍କୁଲ ଶ୍ରେଣୀ ଗୃହରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ପାଠପଢ଼ା ସଂପର୍କରେ ପଚାରି ବୁଝିଥିଲେ। ପରେ ସେମାନଙ୍କ ଲାଗି ମୋ ସରକାର ଅନ୍ତଭୁର୍କ୍ତ ସ୍ମାର୍ଟ ଶିକ୍ଷାଦାନ ଉପରେ ପଚରାପଚରି କରିଥିଲେ। ଏହାପରେ ୫ଟିର ବିଭିନ୍ନ ଉପାଦାନ ସଂପର୍କରେ ପଚାରିଥିଲେ। ଅଧିକାଂଶ ପିଲା ୫ଟି ସଂପର୍କରେ ଜାଣିଥିବା କହିଥିଲେ ହେଁ ସଠିକ ଭାବରେ ଉତ୍ତର ଦେଇପାରିନଥିଲେ। ଏହାପରେ ଜିଲ୍ଲାପାଳ ୫ଟିର ବିଭିନ୍ନ ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। ଆଉ ପାଠପଢ଼ା ସରିବା ପରେ ସରକାରୀ ପଦପଦବିରେ ରହି କାର୍ଯ୍ୟ କରିବା ସମୟରେ ୫ଟି ଆଧାରରେ ଲୋକଙ୍କ ହିତ ସାଧନ ପାଇଁ ସ୍ବଚ୍ଛତା ବଜାୟ ରଖି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ।

ଜିଲ୍ଲାପାଳ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ନିର୍ମାଣାଧୀନ ମେଗା ମାର୍କେଟ କଂପ୍ଲେକ୍ସ କାର୍ଯ୍ୟ ତଦାରଖ କରିଥିଲେ। ତା’ ପରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କୋଭିଡ଼ ଟିକାକରଣ କେନ୍ଦ୍ରର ଲୋକମାନଙ୍କୁ ଟିକାକରଣ ସଂପର୍କରେ ପଚାରି ବୁଝିଥିଲେ। ହସ୍ପିଟାଲରେ ମୋ ସରକାର କକ୍ଷ ଓ ଇନଡୋରରେ ରୋଗୀଙ୍କୁ ରଖାଯିବା ନେଇ କର୍ତୃପକ୍ଷ ପଦକ୍ଷେପ ନିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ଆଜି ପୂର୍ବାହ୍ନ ଠିକ ୧୦ଟା ସମୟରେ ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ଆସନ୍ତା ମାସ ଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଜେଏମଏଫସି ଅଦାଲତ ନେଇ ପ୍ରସ୍ତୁତ ଭିତ୍ତିଭୂମି ଓ ପ୍ରକୋଷ୍ଠ ଘର ବୁଲି ଦେଖିଥିଲେ। ପୁରୁଣା ଜଗନ୍ନାଥ ରାସ୍ତାରେ ବାଲିଅନ୍ତା ସ୍କୁଲ ଯିବା ବେଳେ କୁଆଖାଇ ଓ କୁଶଭଦ୍ରା ବ୍ରିଜ ମହାତ୍ମା ସେତୁ  ଉପରେ ରହି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ଜୟଦେବ ଦାସ , ବିଜେଡ଼ି ସଭାପତି ପ୍ରଦୀପ୍ତ ଜେନାମଣି, ସରପଞ୍ଚ ଭାଗ୍ୟଧର ନନ୍ଦୀ, ସହକାରୀ ଯନ୍ତ୍ରୀ ବିଭୁତି ଭୂଷଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର