ଧୀମେଇ ଯାଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ; ବୌଦ୍ଧରେ ରେଲୱେ କାର୍ଯ୍ୟାଳୟ ଖୋଲିବାକୁ କାର୍ଯ୍ୟାନୁଷ୍ଠାନ କମିଟିର ଦାବି

ବୌଦ୍ଧ: ରାଜ୍ୟର କେନ୍ଦ୍ରସ୍ଥଳୀରେ ଥିବା ବୌଦ୍ଧ ଜିଲ୍ଲାକୁ ଏଯାଏଁ ରେଳପଥ ସଂଯୋଗ ହୋଇପାରିନାହିଁ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଜିଲ୍ଲାର ଅର୍ଥନୈତିକ ମେରୁଦଣ୍ଡ ହୋଇ ଆଗାମୀ ଦିନରେ ଜିଲ୍ଲାର ବିକାଶ ଓ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଜିଲ୍ଲାବାସୀଙ୍କ ଦୃଢ ବିଶ୍ବାସ।

କେବଳ ସେତିକି ନୁହେଁ ରାଜ୍ୟର ୨ଟି ପ୍ରମୁଖ ପ୍ରାନ୍ତ ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ଏହା ଯୋଗଯୋଗର ମାଧ୍ୟମ ଭଳି କାର୍ଯ୍ୟ କରିବ। ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ର ସର୍ବାଧିକ ୧୧୦ କିଲୋମିଟର୍ ଦୈର୍ଘ୍ୟ ରହିଛି। ମାତ୍ର ଏଯାଏଁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ୫୦ ପ୍ରତିଶତ ମଧ୍ୟ ହୋଇପାରି ନାହିଁ। ଫଳରେ ବୌଦ୍ଧ ଠାରେ ରେଳ ବିଭାଗ ପକ୍ଷରୁ ରେଳ କାର୍ଯ୍ୟାଳୟ ଖୋଲାଯିବାକୁ ବୌଦ୍ଧ ଜିଲ୍ଲା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ବିଭାଗକୁ ପତ୍ର ମାଧ୍ୟମରେ ଦାବି କରାଯାଇଛି।

ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ରେଳ ମଧ୍ୟ ଚାଲିସାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ମାତ୍ର ବୌଦ୍ଧ ଜିଲ୍ଲାରେ ଏଯାଏଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଧିମେଇ ଚାଲିଛି। ଜଙ୍ଗଲ ଜମିର କ୍ଲିୟରାନସ୍ ମଧ୍ୟ ହୋଇପାରି ନାହିଁ।
ଗତ ସେପ୍ଟେମ୍ବର ୨୪ ତାରିଖ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରକଳ୍ପ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିୟୋଜିତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବୈଠକର ଦେଢ଼ ମାସ ପରେ ବି କୌଣସି କାର୍ଯ୍ୟ ଆଖିଦୃଶିଆ ହୋଇପାରିନାହିଁ। କଣ୍ଟାମାଲ ବ୍ଲକ୍ ଦେଉଳି ଠାରୁ ବୌଦ୍ଧ ସରସରା ମଧ୍ୟରେ ରହିଥିବା ୧୫ଟି ଗାଁର ୯୧(୧) ସଂପ୍ରସାରଣ ବିଜ୍ଞପ୍ତି ରାଜ୍ୟ ରାଜସ୍ବ ବିଭାଗକୁ ପଠାଯାଇଥିଲେ ମଧ୍ୟ ହୋଇପାରି ନାହିଁ। ସେହିପରି ହରଭଙ୍ଗା, କଣ୍ଟାମାଲ ଓ ବୌଦ୍ଧ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ଜେନେରାଲ୍ ଆରେଂଜମେଣ୍ଟ ଡ୍ରଇଁ ଓ ଅନୁମୋଦନ ରେଳବିଭାଗକୁ ଦେବାକୁ ନିର୍ଦ୍ଦେଶ ହୋଇଥିଲା। ତାହା ମଧ୍ୟ ଏଯାଏଁ ହୋଇ ନଥିବା ଜଣାଯାଇଛି।
ଅପରପକ୍ଷେ ବୌଦ୍ଧ ଜିଲ୍ଲାରେ ମୋଟ ୧୦୫ଟି ଗାଁ ଏହି ପ୍ରକଳ୍ପରେ ପ୍ରଭାବିତ ହେଉଛି। ସେଥିରୁ କଣ୍ଟାମାଲ ତହସିଲ୍ରୁ ୯ଟି, ବୌଦ୍ଧ ତହସିଲ୍ର ୩୩ଟି ଗାଁ ଓ ହରଭଙ୍ଗା ତହସିଲ୍ର ୫୬ଟି ଓ ୭ଟି ଗ୍ରାମ୍ୟ ଜଙ୍ଗଲ ଜମି ଦେଇ ରେଳପଥ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ARSS

ହରଭଙ୍ଗା ବ୍ଲକ୍ର ୩ଟି ଗାଁ ଗୁଣ୍ଡୁରିବେଡ଼ା, ସିଂହାଣିବେଡ଼ା ଓ ଭଉଁରୀପଥର ଗାଁରେ ମିଳିତ ସର୍ଭେ ବର୍ତ୍ତମାନ ଚାଲିଥିବା ଜଣାଯାଇଛି। ତେବେ ରେଳ ବିଭାଗ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୯୮ଟି ଗାଁ ମଧ୍ୟରୁ କଣ୍ଟାମାଲ ଓ ବୌଦ୍ଧ ତହସିଲ୍ ଅଧିନରେ ଥିବା ସମସ୍ତ ଘରୋଇ ଜମି ଏବଂ ହରଭଙ୍ଗା ତହସିଲ୍ର ଗୁଡପଡ଼ା ଗାଁ ପର୍ଯ୍ୟନ୍ତ ରହିଥିବା ଜମିକୁ ଚଳିତ ମାସ ଶେଷ ସୁଦ୍ଧା ହସ୍ତାନ୍ତର କରାଯିବ।

ଏହାସହ ଡିସେମ୍ବର ମାସରେ ଯେଉଁଠାରେ ରେଳ ଷ୍ଟେସନ୍ ନିର୍ମାଣ ପ୍ରସ୍ତାବ ରହିଛି (ସରସରା) ତାହାର ଜମି ମଧ୍ୟ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି। ତେବେ ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀ ଅମୂଲ୍ୟ ସାହୁ ପ୍ରକାଶ କରିଛନ୍ତି।
୧୦୮ଟି ଗାଁର ୭୭୨.୭୬୦ ହେକ୍ଟର ସରକାରୀ ଜମି ପୂର୍ବରୁ ରେଳ ବିଭାଗକୁ ପୂର୍ବରୁ ଆଡ୍ଭାନ୍ସ ପୋଜିସନ୍ ଦିଆଯାଇଛି। ଜଙ୍ଗଲ ବିଭାଗ ଅଧୀନରେ ରହିଥିବା ଜମିକୁ ସରକାରୀ ନିୟମ ଅନୁଯାୟୀ ରେଳ ବିଭାଗକୁ ଦେବା ପୂର୍ବରୁ ସମାନ ପରିମାଣର ଦ୍ୱିଗୁଣିତ ଜମି ଏବଂ ବୃକ୍ଷରୋପଣ ପାଇଁ ଅର୍ଥବ୍ୟବସ୍ଥା କରାଯିବା ପାଇଁ କେନ୍ଦ୍ରର ନିୟମ ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରାୟ ୩୧.୨୨ ହେକ୍ଟର ଜଙ୍ଗଲ ଜମି ବାବଦ ୬୨.୪୪ହେକ୍ଟର ଜମି ଓ ହେକ୍ଟର ପିଛା ବୃକ୍ଷରୋପଣ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ବନବିଭାଗ ପକ୍ଷରୁ କେନ୍ଦ୍ରକୁ ପଠାଇଥିବା ବେଳେ ତାହାର ପୁନଃ ଯାଞ୍ଚ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ପତ୍ର ଆସିଥିବା ଜଣାପଡ଼ିଛି।

ତେବେ ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ତେଲନଦୀରେ ରେଳପଥ ବ୍ରିଜ୍ କାମ ଆରମ୍ଭ ହୋଇଥିବା ବେଳେ ଅନ୍ୟ ବ୍ରିଜ୍ଗୁଡ଼ିକ ପାଇଁ ଏଯାଏଁ ଟେଣ୍ଡର ମଧ୍ୟ ହୋଇନାହିଁ। ଏହି ପ୍ରକଳ୍ପରେ ସର୍ବାଧିକ ରେଳପଥ ବୌଦ୍ଧ ଜିଲ୍ଲାରେ ଯାଉଛି। କିନ୍ତୁ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲାଯାଇ ନ ଥିବାରୁ କାର୍ଯ୍ୟର ଅଗ୍ରଗତି ହୋଇପାରୁ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର