ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ ଡିଆର୍ଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ବୈଠକରେ ଚିଲିକା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଏବଂ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ଗ୍ରାମାଂଚଳରେ ଜୀବନ ଓ ଜୀବିକାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଗ୍ରାମାଂଚଳର ଲୋକଙ୍କ ଜୀବିକା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ ସହ ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଯୋଜନାର ସଫଳ ରୂପାୟନ ଉପରେ ଉଭୟ ବିଧାୟକ ଗୁରୁତ୍ୱ ଦେଇଥିଲେ ।
ଏହା ସହ ମନରେଗା, କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ, ସଡ଼କ, ଜଳଯୋଗାଣ, ପର୍ଯ୍ୟଟକର ବିକାଶ, ଗ୍ରାମୀଣ ବିକାଶ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ କ୍ୱାଟର ନିର୍ମାଣ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶୁଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ସହ ଚିଲିକା, ବାଣପୁର, ଟାଙ୍ଗୀ ବ୍ଲକରେ ଅଧିକ ସଂଖ୍ୟକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।
ଉଚ୍ଚଶିକ୍ଷା ସମ୍ପର୍କିତ ଆଲୋଚନାରେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଅତିରିକ୍ତ ଛାତ୍ରାବାସ ଓ ଇନ୍ଡୋର ଷ୍ଟାଡିଅମ୍ର ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ମହିଳା ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଓ କଳା ବିଭାଗ ଖୋଲିବା ପାଇଁ ଆଲୋଚନା ହୋଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ନିର୍ବାହୀ ଯନ୍ତ୍ରୀ (ପୂର୍ତ୍ତ) ଦୀପକ କୁମାର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଡିଓ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।