ରାୟଗଡା: ରାୟଗଡା ସଦର ନୂଆ କଲୋନିରେ ବାସ କରନ୍ତି ଖୁସୀ ଜେସୱାନୀ ଏବଂ ତାଙ୍କ ପରିବାର। ଘର ପଞ୍ଜାବରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ସେ ରାୟଗଡାରେ ବସବାସ କରି ଆସୁଛନ୍ତି। ସ୍ବାମୀ ତେଜରାତି ଦୋକାନ କରିଥିବା ବେଳେ ସେ ବିଭିନ୍ନ ରକମର କେକ ତିଆରି କରି ବ୍ୟବସାୟ କରନ୍ତି। ନିଜେ ଆତ୍ମନିର୍ଭରଶୀଳ ହୋଇଥିବା ସହ ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଉଛନ୍ତି। ଖୁସି ରାୟପୁର ଏବଂ ଦିଲ୍ଲୀରେ କେକ ତିଆରି କରିବାର ତାଲିମ ନେଇ ଜିଲ୍ଲାରେ ଏବେ ଆଗଧାରୀ କେକ ପ୍ରସ୍ତୁତକର୍ତ୍ତା ଭାବେ ବେଶ ପରିଚିତ। ନୂଆ ନୂଆ ରକମର କେକ ପ୍ରସ୍ତୁତ କରି ଲୋକଙ୍କୁ ଅତି କମ୍ ଦରରେ ସେ ବିକ୍ରି କରୁଛନ୍ତି। ମାସକୁ ପ୍ରାୟ କୋଡିଏ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ବେପାର କରୁଥିବା ବେଳେ ବର୍ଷକୁ ପ୍ରାୟ ଅଢେଇ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା କହିଥିଲେ। ନିଜ ଘରର ସମସ୍ତ କାମ ସମାପ୍ତ କରିବା ପରେ ସେ ନିଜର ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତି। ଖୁସିଙ୍କ ଦୁଇ ପୁଅ ଏବଂ ସ୍ବାମୀ ମଧ୍ୟ ତାଙ୍କୁ ଏହି ବ୍ୟବସାୟରେ ସହଯୋଗ କରନ୍ତି। ତେବେ ନିଜର ବୋଲି ଘର ନଥିବାରୁ ସେ ଏହି ବ୍ୟବସାୟକୁ ଆଗକୁ ନେଇ ପାରୁ ନାହାନ୍ତି। ନଚେତ ସେ ଯାହା ଶିକ୍ଷା ଲାଭ କରିଛନ୍ତି ତାହାକୁ ଏଠାରେ ସେ କରି ପାରୁନଥିବା କହିଥିଲେ।
/sambad/media/post_attachments/wp-content/uploads/2023/08/Rgda-odisha-50-Khusi-Jeswani-2.jpg)
ନିଜର ଦୋକାନ ଏବଂ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ବ୍ୟବସାୟକୁ ଆଗକୁ ନେଇ ପାରୁ ନାହାନ୍ତି। ସରକାରଙ୍କ ତରଫରୁ ଯଦି ସହଯୋଗ ମିଳନ୍ତା ତେବେ ସେ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ପାଇଁ ମଧ୍ୟ ସହଯୋଗ କରି ପାରନ୍ତେ ବୋଲି କହିଥିଲେ। ବଡ ପ୍ରୋଜେକ୍ଟ କରିବାକୁ ହେଲେ ବ୍ୟାଙ୍କ ଋଣ ଦରକାର ପଡୁଛି। ଏଥିସହ ବଡ ହଲ ମଧ୍ୟ ଦରକାର ପଡୁଛି। ରାୟଗଡାର ବହୁ ଯୁବତୀ ଖୁସି ନିକଟରେ ପହଞ୍ଚି କେକ ପ୍ରସ୍ତୁତି ଶିକ୍ଷା ଲାଭ କରି ନିଜ ଘରେ ତିଆରି କରୁଥିବା ଖୁସି କହନ୍ତି। ମହିଳାଙ୍କ ପାଇଁ ଏହା ବେଶ ସୁବିଧା ଜିନିଷ। ଘରେ ବସି ଦୁଇପଇସା ରୋଜଗାର କରି ପାରିବେ ବୋଲି ଖୁସି କହନ୍ତି। ଦିଲ୍ଲୀ ଏବଂ ରାୟପୁର ଠାରେ କେକ ପ୍ରସ୍ତୁତି ପ୍ରତିଯୋଗିତାରେ ସେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି। ତାଙ୍କର ସୁସ୍ବାଦୁ କେକ ବଜାରରେ ବେସ ଚାହିଦା ରହିଛି। ଏହି ବ୍ୟବସାୟରେ ଆଗକୁ ଆହୁରି ମହିଳା ଆସନ୍ତୁ ବୋଲି ସେ କହିଥିଲେ। ଘରେ ବସି ସେ ବେଶ ରୋଜଗାର କରି ପାରୁଥିବାରୁ ସରକାର ଏବଂ ପ୍ରଶାସନର ସହଯୋଗ ହେଲେ ସେ ଏହି ବ୍ୟବସାୟକୁ ବୃଦ୍ଧି କରିବା ସହ ସେ ନେଇଥିବା ତାଲିମକୁ ପ୍ରସାର କରିବା ପାଇଁ ତାଲିମ କେନ୍ଦ୍ର ମଧ୍ୟ ଖୋଲିବେ।