୭ବର୍ଷ ହେଲା ନିଖୋଜ ଥିବା ଝିଅକୁ ଟିଉସନ୍‌ ସା‌ର୍‌ ଅପହରଣ କରି ହତ୍ୟା କରିଥିବାର ଅଭିଯୋଗ ଆଣିଲେ ପରିବାର

ତଦନ୍ତ ପରେ ମାମଲା ରୁଜୁ ହେବ: ପୁଲିସ

ପଟ୍ଟାମୁଣ୍ତାଇ: ଜଣେ ନାବାଳିକାକୁ ୨୦୧୪ ମସିହାରେ ଅପହରଣ କରି ବିବାହ କରିବା ଓ ୨୦୨୦ ମସିହାରେ ତାଙ୍କୁ ମାରି ଦେଇଥିବା ନେଇ ମୃତକଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏହି ଘଟଣାର ମାମଲା ରୁଜୁ ହେବ ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ତପନ କୁମାର ରାଉତ କହିଛନ୍ତି।

ସୂଚନା ମୁତାବକ, ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଗଗନ ବିହାରୀ ମଳିକଙ୍କ ନାବାଳିକା କନ୍ୟା ବର୍ଷା ମଳିକ (୧୫) ପଟ୍ଟାମୁଣ୍ତାଇ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢୁଥିଲେ। ବର୍ଷା ଟିଉସନ ହେବା ପାଇଁ ସ୍ଥାନୀୟ ନୂଆଗାଁ ଗ୍ରାମର କୈଳାସ ଚନ୍ଦ୍ର ପଣ୍ତାଙ୍କ ପାଖକୁ ଯାଉଥିଲେ। ଟିଉସନ ହେବା ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିିକ ସଂପର୍କ ଗଢି ଉଠିଥିଲା ଓ ବର୍ଷା ଗର୍ଭବତୀ ହୋଇଯାଇଥିଲେ। କିଛିଦିନ ପରେ ହଠାତ୍ ଝିଅ ଦେହ ଖରାପ ହେବାରୁ ସେ ଗର୍ଭବତୀ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ପଚରାଉଚରା ପରେ ବର୍ଷା ସବୁ କଥା କହିଥିଲେ। ଏହି ଘଟଣା ସଂପର୍କରେ ବର୍ଷାଙ୍କ ବାପା ଓ ମାଆ ଅଭିଯୁକ୍ତ ଟିଉସନ ସାର୍‌ଙ୍କ ଘରକୁ ଯାଇ ଘଟଣା ସଂପର୍କରେ ପଚାରିବାରୁ ଟିଉସନ ସାର୍‌ କୈଳାସ ପଣ୍ତା ଓ ତାଙ୍କ ପରିବାର ଲୋକ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ।

ଏହି ଘଟଣା ପରେ ଗତ ୨୦୧୪ ମସିହା ଏପ୍ରିଲ ୧୪ ତାରିଖରେ ବର୍ଷା ମନ୍ଦିରକୁ ଯାଇଥିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କଲା ପରେ ତାଙ୍କ ଝିଅକୁ ଟିଉସନ ସାର୍‌ କୈଳାସ ଚନ୍ଦ୍ର ପଣ୍ତା କେଉଁଆଡେ ନେଇ ପଳାଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଗଗନ ପଟ୍ଟାମୁଣ୍ତାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ଭଦ୍ରଲୋକ ଓ କାଉନସିଲର୍‌ଙ୍କ ମାଧ୍ୟମରେ ସମାଧାନ କରି ନିଜ ଝିଅକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ହେଁ ଗଗନ ସେଥିରେ ଫେଲ୍‌ ମାରିଥିଲେ। ଗତ ୨୦୧୪ ମସିହାରେ ବର୍ଷାଙ୍କୁ ୧୫ ବର୍ଷ ହୋଇଥିବା ତାଙ୍କ ବାପା ଗଗନ କହିଥିବା ବେଳେ ଏବେ ବର୍ଷାଙ୍କୁ ୨୩ ବର୍ଷ ବୟସ ହୋଇସାରିବଣି। ଇତି ମଧ୍ୟରେ ଦୀର୍ଘ ୮ବର୍ଷ ବିତିଯାଇଥିବା ବେଳେ ତାଙ୍କ ଝିଅକୁ ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ଟିଉସନ ମାଷ୍ଟର କୈଳାସ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ସହିତ ଜୋର ଜବରଦସ୍ତ ଗର୍ଭ ନଷ୍ଟ କରି ଜୀବନରୁ ମାରି ଦେଇ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦେଇଥିବା ଗଗନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର